ଟେଲିକମ୍ କମ୍ପାନୀକୁ ଚିଠି ଲେଖିଲେ ପ୍ରିୟଙ୍କା: ସଙ୍କଟରେ ଲୋକ, ଫ୍ରି କରନ୍ତୁ ମୋବାଇଲ ସେବା

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୦୩: କରୋନା ସଙ୍କଟର ମୁକାବିଲା ପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ସରକାରଙ୍କଠୁ ନେଇ ଲୋକ ନିଜ ସ୍ତରରେ ମଧ୍ୟ କରୋନାର ମୁକାବିଲା କରୁଛନ୍ତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହି କାରଣରୁ ପ୍ରବାସୀ ଶ୍ରମିକଙ୍କ ଜିଇଁବା ମୁସ୍କିଲ ହୋଇ ପଡିଛି। ମହାରାଷ୍ଟ୍ରରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକ ଏବେ ଘରମୁହାଁ  ହେବାକୁ ବିବଶ ହୋଇଛନ୍ତି।

ଏହା ମଧ୍ୟରେ ସମଗ୍ର ଦେଶରେ ପଳାୟନ କରୁଥିବା ଲକ୍ଷାଧିକ ଶ୍ରମିକଙ୍କ ସଂଦର୍ଭରେ ପ୍ରିୟଙ୍କା ଗାନ୍ଧୀ ମାନବିକତା ଆଧାରରେ ଟେଲିକମ୍ କମ୍ପାନୀକୁ ଚିଠି ଲେଖିଛନ୍ତି। ସେ ଚିଠିରେ ଭୋକ, ଶୋଷ ଓ ରୋଗ ସହ ସଂଘର୍ଷ କରୁଥିବା ଶ୍ରମିକଙ୍କ ସାହାଯ୍ୟ ପାଇଁ ଅପିଲ୍ କରିଛନ୍ତି।

{"id":246037,"sizeSlug":"large"}

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଏହି ସଙ୍କଟରେ ଘଡିରେ ନିଜର ଦେଶବାସୀଙ୍କୁ ସାହାଯ୍ୟ କରିବା ଆମର ରାଷ୍ଟ୍ରୀୟ ଦାୟିତ୍ଵ। ତେଣୁ ଟେଲିକମ୍ କମ୍ୟୁନିକେସନ କମ୍ପାନୀ ସଂପ୍ରତି ସ୍ଥିତିରେ ସକରାତ୍ମକ ପଦକ୍ଷେପ ନେଇ ପାରିବ। ବଡ ସଂଖ୍ୟାରେ ଲୋକ ଏବେ ନିଜ ଘର ଅଭିମୁଖେ ବାହାରିଛନ୍ତି, ସେମାନଙ୍କର ମୋବାଇଲ ରିଚାର୍ଜ ଶେଷ ହୋଇ ସାରିଛି। ଏହାର ଅର୍ଥ ସେମାନେ ନିଜର ପରିଜନଙ୍କ ପାଖକୁ ଫୋନ୍ ମଧ୍ୟ କରି ପାରୁ ନାହାନ୍ତି ଏବଂ କଲ୍ ମଧ୍ୟ ରିସିଭ୍ କରି ପାରୁନାହାନ୍ତି।

ପ୍ରିୟଙ୍କା ଗାନ୍ଧୀ ସଞ୍ଚାର କମ୍ପାନୀ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ଆପଣ ମୋବାଇଲ ସେବାରେ ଇନକମିଙ୍ଗ ଓ ଆଉଟ୍ ଗୋଇଙ୍ଗ ବ୍ୟବସ୍ଥା ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ଫ୍ରି କରି ଦିଅନ୍ତୁ। ଯଦ୍ଵାରା ଗମ୍ଭୀର ସମସ୍ୟା ଦେଇ ଗତି କରୁଥିବା ଶ୍ରମିକ, ଗରିବ ଓ ଦିନ ମଜୁରିଆ ନିଜର ପରିଜନଙ୍କ ସହ କଥା ହୋଇ ମନକୁ ଟିକେ ସାନ୍ତ୍ଵନା ଦେଇ ପାରିବ। ମୋତେ ଆପଣଙ୍କର ସକରାତ୍ମକ ଜବାବକ ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.