ସରକାରୀ ବଙ୍ଗଳା ଖାଲି କଲେ ପ୍ରିୟଙ୍କା, ବଦଳିଲା ବାସଭବନ ଠିକଣା

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦।୦୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନୂଆଦିଲ୍ଲୀର ଲୋଧି ଏଷ୍ଟେଟ୍ ସ୍ଥିତ ସରକାରୀ ବଙ୍ଗଳା ଗୁରୁବାର ଖାଲି କରିଛନ୍ତି। ସୂତ୍ର ଅନୁଯାୟୀ ଏବେ ସେ କିଛି ଦିନ ଗୁରୁଗ୍ରାମରେ ରହିବେ ଓ ପୁଣି ମଧ୍ୟ ଦିଲ୍ଲୀ ଅଞ୍ଚଳର ଏକ ବାସଭବନକୁ ସ୍ଥାନାନ୍ତର ହେବେ। ପ୍ରିୟଙ୍କା ମଧ୍ୟ ଦିଲ୍ଲୀର ଯେଉଁ ଘରେ ରହିବାକୁ ସ୍ଥିର କରିଛନ୍ତି, ସେହି ଘରର ରଙ୍ଗବୋଳା ଏବଂ ମରାମତି କାମ ଜାରି ରହିଛି।

କେନ୍ଦ୍ର ବାସଭବନ ଏବଂ ସହରାଞ୍ଚଳ କାର୍ଯ୍ୟ ମନ୍ତ୍ରଣାଳୟ ପ୍ରିୟଙ୍କାରୁ ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳାକୁ ଅଗଷ୍ଟ ୧ ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସପିଜି ସୁରକ୍ଷା ପ୍ରତ୍ୟାହୃତ ହେବା ପରେ ପ୍ରିୟଙ୍କାଙ୍କୁ ୩୫ ଲୋଧି ଏଷ୍ଟେଟ ଖାଲି କରିବାକୁ ପଡିବ କାରଣ ଜେଡ୍‌ ପ୍ଲସ୍ ଶ୍ରେଣୀର ସୁରକ୍ଷାରେ ଏହି ଧରଣର ବାସଭବନ ରହିବାକୁ ମିଳେ ନାହିଁ।

ସରକାର ଗତ ବର୍ଷ ନଭେମ୍ବର ମାସରେ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କଠୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ଜେଡ୍ ପ୍ଲସ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ, ‘୩୫ ଲୋଧି ଏଷ୍ଟେଟ’ରେ ଆବଣ୍ଟିତ ବଙ୍ଗଳାରେ ଗତ ଅନେକ ବର୍ଷ ଧରି ପ୍ରିୟଙ୍କା ରହି ଆସୁଥିଲେ। ଏବେ ସେହି ବଙ୍ଗଳାକୁ ବିଜେପି ସାଂସଦ ଅନିଲ ବଲୁନିଙ୍କୁ ଦିଆଯାଇଛି। ବଲୁନି ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ବଙ୍ଗଳା ବଦଳାଇବାକୁ ଅନୁରୋଧ କରିଥିଲେ। କିଛି ସମୟ ପୂର୍ବେ ତାଙ୍କର କ୍ୟାନସରର ଚିକିତ୍ସା ଜାରି ରହିଥିଲା। ମାତ୍ର ସେ ଏବେ ସୁସ୍ଥ ହୋଇ ସାରିଛନ୍ତି।

ଅନିଲ ବଲୁନିଙ୍କୁ ବଙ୍ଗଳା ଦିଆଯିବା ପରେ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ପରିବାର ସହିତ ଚା ପିଇବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଖରାପ ସ୍ଵାସ୍ଥ୍ୟଗତ କାରଣରୁ ସେ ଚା ପିଇବାକୁ ମନା କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.