ପ୍ରିୟଙ୍କା ଗାନ୍ଧୀଙ୍କ ହୁଙ୍କାର -‘୧୦୦ ଦିନ ହେଉ କି ୧୦୦ ବର୍ଷ, ଶେଷ ନିଶ୍ୱାସ ଯାଏଁ କୃଷକଙ୍କ ପାଇଁ ଲଢ଼ିବି’
8/03/2021 at 11:38 AM

ମେରଠ ୦୮/୦୩ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରବିବାର ଦିନ ମେରଠରେ ହୁଙ୍କାର ଦେଇଛନ୍ତି। ଏଠାରେ ଆୟୋଜିତ କୃଷକ ମହାପଞ୍ଚାୟତରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ତିମ ନିଶ୍ୱାସ ଯାଏଁ କୃଷକଙ୍କ ପାଇଁ ସେ ଲଢ଼ିବେ ବୋଲି କହିଛନ୍ତି। କୃଷକ ମହାପଞ୍ଚାୟତରେ ସେ କହିଛନ୍ତି ଯେ ୧୦୦ ଦିନ ହେଉ କି ୧୦୦ ବର୍ଷେ, କୃଷକଙ୍କ ପାଇଁ ସେ ଶେଷ ନିଶ୍ୱାସ ଯାଏଁ ଲଢ଼ିବେ। ଏହାସହ ସେ ପ୍ରତ୍ୟେକ ଗାଁର ଚାଷୀ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରିବା ଉଚିତ ବୋଲି କହିଛନ୍ତି।

ପ୍ରିୟଙ୍କା କହିଛନ୍ତି,’କଂଗ୍ରେସ ସବୁବେଳେ ଆପଣମାନଙ୍କ ସହ ଛିଡା ହୋଇଥିବା। ଯେବେବି କିଛି ଅସୁବିଧାରେ ଥିବେ ଆମକୁ ନିଜ ପାଖରେ ହିଁ ପାଇବେ। ଆପଣଙ୍କ ଲଢେଇ ଆମ ଲଢେଇ। ମୋ ଶେଷ ନିଶ୍ୱାସ ଯାଏଁ ମୁଁ ଆପଣମାନଙ୍କ ସହ ଅଛି।’ ସେ କହିଛନ୍ତି ଏହି କୃଷି ଆଇନ କୃଷକଙ୍କ ହିତରେ ନାହିଁ। ଏହି ଆଇନ ସବୁଠାରୁ ବଡ ହିତଧାରକ ଅର୍ଥାତ କୃଷକଙ୍କ ସହ ପରାମର୍ଶ ନ କରି ଲାଗୁ କରାଯାଇଛି। ଆଇନ କୃଷକଙ୍କ ଫାଇଦା ପାଇଁ ବୋଲି କହୁଛନ୍ତି କିନ୍ତୁ ସତ ସମ୍ପୂର୍ଣ୍ଣ ଓଲଟା। ଏହି ଆଇନ ପୁଞ୍ଜିପତିଙ୍କ ଫାଇଦା ପାଇଁ ଲାଗୁ କରାଯାଇଛି।
ପ୍ରିୟଙ୍କା ଆଗକୁ କହିଛନ୍ତି, କୃଷକମାନେ ଗତ ୧୦୦ ଦିନ ହେଲା ଦିଲ୍ଲୀ ସୀମାରେ ବସିଛନ୍ତି କିନ୍ତୁ ସରକାରଙ୍କୁ ଟିକିଏ ବି ଚିନ୍ତା ନାହିଁ। ଏହି ସରକାର ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁମାନଙ୍କ ଦ୍ୱାରା ଚାଳିତ। ଆଖୁ ଚାଷୀଙ୍କ ବାକିକୁ ନେଇ ମଧ୍ୟ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବିମାନ କିଣିବାକୁ ସରକାରଙ୍କ ପାଖରେ ଟଙ୍କା ଅଛି କିନ୍ତୁ ଆଖୁ ଚାଷୀଙ୍କୁ ବାକି ଟଙ୍କା ଦେବାକୁ ନାହିଁ। ସେ କହିଛନ୍ତି ଯେ ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ସମ୍ମାନରେ ସଂସଦରେ ତାଙ୍କ ଭାଇ ରାହୁଲ ଗାନ୍ଧୀ ୨ ମିନିଟ ମୌନ ପ୍ରାର୍ଥନା କରିଥିଲେ, ସେତେବେଳେ ବିଜେପିର ଜଣେ ବି ସଦସ୍ୟ ଛିଡା ହୋଇନଥିଲେ। ଏହା କୃଷକଙ୍କ ଅପମାନ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ?

ପ୍ରିୟଙ୍କା ଗାନ୍ଧୀ ଟ୍ରାକ୍ଟରରେ ବସି କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ ଓ କୃଷକଙ୍କ ସ୍ୱାଗତ କରିଥିଲେ। ସେ ଲଗାତାର ଉତ୍ତର ପ୍ରଦେଶରେ କୃଷକ ମହାପଞ୍ଚାୟତକୁ ଯାଇ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି।