ହାଥରସ ଗଣଦୁଷ୍କର୍ମ ମାମଲା: ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କଲେ ପ୍ରିୟଙ୍କା ଗାନ୍ଧି

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦/୦୯: ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗତକାଲି ମୃତ୍ୟୁ ହେବା ପରେ ତାକୁ ନେଇ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘର ଲୋକଙ୍କ ଅନୁମତି ନ ନେଇ ପୋଲିସ୍ ଉପସ୍ଥିତିରେ ହିଁ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ମାମଲାକୁ ନେଇ ଏବେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା । କେବଳ ଏତିକି ନୁହେଁ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକମାନେ ପ୍ରଶାସନ ଉପରେ କ୍ରୋଧ ବ୍ୟକ୍ତ କରୁଛନ୍ତି।

ପ୍ରିୟଙ୍କା ଗାନ୍ଧି ତାଙ୍କ ଟ୍ବିଟରେ ଲେଖିଛନ୍ତି ‘‘ରାତି ୨.୩୦ରେ ପୀଡ଼ିତାଙ୍କ ପରିବାର ଲୋକ ବିକଳ ହୋଇ କାନ୍ଦୁଥିଲେ, କିନ୍ତୁ ଉତ୍ତରପ୍ରଦେଶ ପ୍ରଶାସନ ଜବରଦସ୍ତି ତାଙ୍କ ମୃତ ଦେହ ଜାଳିଦେଲା। ଯେତେବେଳେ ସେ ଜୀବିତ ଥିଲେ ସେତେବେଳେ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ତାଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ଯୋଗାଇ ପାରିଲେ ନାହିଁ। ପୀଡ଼ିତାଙ୍କ ମୃତ୍ୟୁ ପରେ ସରକାର ଘର ଲୋକଙ୍କଠାରୁ ଝିଅର ଅନ୍ତିମ ସଂସ୍କାର ଅଧିକାର ଛଡ଼ାଇ ନେଲେ  ଓ ମୃତକଙ୍କୁ ସମ୍ମାନ ମଧ୍ୟ ଦେଲେ ନାହିଁ। ଅତ୍ୟନ୍ତ ଅମାନବୀୟ। ଆପଣ ଅପରାଧ ରୋକି ନାହାନ୍ତି ବରଂ ଅପରାଧୀଙ୍କ ଭଳି ବ୍ୟବହାର କରିଛନ୍ତି। ଅତ୍ୟାଚାର ନ ରୋକି ନୀରିହ କୋମଳ ଝିଅ ଓ ତାର ପରିବାର ଉପରେ ଦ୍ବିଗୁଣା ଅତ୍ୟାଚାର କରିଛନ୍ତି। ଯୋଗୀ ଆଦିତ୍ୟନାଥ ଇସ୍ତଫା ଦିଅନ୍ତୁ। ଆପଣଙ୍କ ଶାସନରେ ନ୍ୟାୟ ନୁହେଁ, କେବଳ ଅନ୍ୟାୟ ହିଁ ଚାଲେ।’’

ଏହା ପୂର୍ବରୁ ପୀଡ଼ିତାଙ୍କ ମୃତ୍ୟୁ ଖବର ଜାଣିବା ପରେ ପ୍ରିୟଙ୍କା କହିଥିଲେ ୟୁପିରେ ଆଇନ ବ୍ୟବସ୍ଥା ଆବଶ୍ୟକତାଠୁ ଅଧିକ ବିଗିଡି ଗଲାଣି। ମହିଳାଙ୍କ ସୁରକ୍ଷାଙ୍କ କୌଣସି ବ୍ୟବସ୍ଥା ନାହିଁ। ଅପରାଧି ଖୋଲା ଖୋଲି ଅପରାଧ କରିଚାଲିଛନ୍ତି। ଏହି ଝିଅର ଅପରାଧୀଙ୍କୁ କଠିନ ଦଣ୍ଡ ମିଳିବା ଦରକାର। ଯୋଗୀ ଆଦିତ୍ୟନାଥ ସରକାର ଉତ୍ତର ପ୍ରଦେଶ ମହିଳାଙ୍କ ସୁରକ୍ଷା ପ୍ରତି ଉତ୍ତରଦାୟୀ।

ଏହି ମାମଲାରେ ଉତ୍ତର ପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର କହିଥିଲେ ଖୁବ ଶୀଘ୍ର ମାମଲା ଉପରେ ଚାର୍ଜସିଟ୍ ଲଗାଯିବ ଓ ଚେଷ୍ଟା କରାଯିବ ମାମଲାକୁ ଫାଷ୍ଟ ଟ୍ରାକରେ ପହଞ୍ଚାଇବାକୁ। ଏହା ସହ ଦୋଷୀକୁ କଠିନରୁ କଠିନ ଦଣ୍ଡ ଦେବାକୁ। ତେବେ ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.