ବିଦେଶରେ ଦେଶୀ ବ୍ୟଞ୍ଜନର ମଜା: ନ୍ୟୁୟର୍କରେ ଇଣ୍ଡିଆନ୍ ରେଷ୍ଟୁରାଣ୍ଟ ଖୋଲିଲେ ପ୍ରିୟଙ୍କା
7/03/2021 at 11:42 AM

ମୁମ୍ବାଇ ୦୭/୦୩ : ବଲିଉଡରେ ନିଜ ଜଲୱା ଦେଖାଇବା ପରେ ଏବେ ହଲିଉଡ଼ରେ ରାଜ କରୁଛନ୍ତି ପ୍ରିୟଙ୍କା ଚୋପ୍ରା। ନିକଟରେ ପ୍ରିୟଙ୍କାଙ୍କ ବହି ‘ଅନଫିନିଶ୍ଡ’ ରିଲିଜ ହୋଇଛି। ଏହି ବହିରେ ପ୍ରିୟଙ୍କା ନିଜ ଜୀବନର ତମାମ ରହସ୍ୟ ଖୁଲାସା କରିଛନ୍ତି। ପ୍ରିୟଙ୍କା ନିଜ ପ୍ରଶଂସକଙ୍କୁ ପାଇଁ ଆଉ ଏକ ଉପହାର ଦେଇଛନ୍ତି। ଅଭିନୟରେ ଲୋକଙ୍କ ମନ ଜିତିବା ପରେ ଏବେ ସେ ପେଟ ଦେଇ ଲୋକଙ୍କ ହୃଦୟରେ ରାଜ କରିବେ। ସେ ବିଦେଶରେ ରହୁଥିବା ଭାରତୀୟ ପ୍ରଶଂସକଙ୍କୁ ଉପହାର ସଦୃଶ୍ୟ ନ୍ୟୁୟର୍କରେ ଏକ ଭବ୍ୟ ରେସ୍ତୋରାଁ ଖୋଲିଛନ୍ତି।

ପ୍ରିୟଙ୍କା ଚୋପ୍ରା ଏହି ରେସ୍ତୋରାଁ ନାଁ ‘ସୋନା’ ରଖିଛନ୍ତି। ଉଦଘାଟନରେ ସେ ଏକ ଛୋଟ ପୂଜା ଆୟୋଜନ କରିଥିଲେ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଫଟୋ ସେୟାର କରିଛନ୍ତି। ନିଜ ପୋଷ୍ଟରେ ପ୍ରିୟଙ୍କା ଲେଖିଛନ୍ତି, “ଆପଣମାନଙ୍କ ସାମ୍ନାରେ ‘ସୋନା’କୁ ପେଶ କରି ମୁଁ ବହୁତ ରୋମାଞ୍ଚିତ ଅନୁଭବ କରୁଛି। ନ୍ୟୁୟର୍କରେ ଏକ ରେସ୍ତୋରାଁ ଖୋଲିଚି ଯେଉଁଠି ଭାରତୀୟ ବ୍ୟଞ୍ଜନ ମିଳିବ। ‘ସୋନା’ ସେହି ଭାରତୀୟ ବ୍ୟଞ୍ଜନର ପ୍ରତୀକ ଯାହା ସବୁ ଖାଇ ମୁଁ ବଡ ହୋଇଛି। କିଚେନ ସଞ୍ଚାଳନ କରିବେ ସେଫ୍ ହରି ନାୟକ। ସେ ବହୁତ ଟ୍ୟାଲେଣ୍ଟେଡ। ସେ ଅନେକ ସ୍ୱାଦିଷ୍ଟ ଓ ଇନୋଭେଟିବ୍ ମେନ୍ୟୁ ପ୍ରସ୍ତୁତ କରିଛନ୍ତି ଯାହା ଆପଣମାନଙ୍କୁ ମୋ ଦେଶର ଫୁଡ ଯାତ୍ରାକୁ ନେଇଯିବ।”
ପ୍ରିୟଙ୍କା କହିଛନ୍ତି ଯେ ରେସ୍ତୋରାଁ ଏହି ମାସରେ ଖୋଲିବ। ଏହି ପଦକ୍ଷେପ ତାଙ୍କ ବନ୍ଧୁ ମନୀଷ ଗୋୟଲ ଓ ଡେଭିଡ ରବୀନଙ୍କ ବିନା ସମ୍ଭବ ନଥିଲା ବୋଲି ପ୍ରିୟଙ୍କା କହିଛନ୍ତି। ଇନଷ୍ଟାଗ୍ରାମରେ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ୨୦୧୯ ସେପ୍ଟେମ୍ବର ମାସରେ। ସେତେବେଳେ ସେ ରେସ୍ତୋରାଁ ପାଇଁ ପୂଜା କରିଥିଲେ।