ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିବାହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ ପ୍ରିୟଙ୍କା-ନିକ !
24/11/2018 at 4:38 PM

ମୁମ୍ବାଇ ୨୪/୧୧ : ରଣବୀର ଦୀପିକାଙ୍କ ବିବାହ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ | ଉଭୟଙ୍କ ବିବାହ ପାଇଁ ଯୋଧପୁରରେ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇସାରିଛି | ପ୍ରିୟଙ୍କା ଏବଂ ନିକ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ବିବାହ କରିବେ |
ସୂଚନା ଅନୁଯାୟୀ ଆସନ୍ତା ୨୯ ତାରିଖରେ ମେହେନ୍ଦି ଏବଂ ୩୦ ତାରିଖରେ ସଂଗୀତ କାର୍ଯ୍ୟକ୍ରମ ହେବ | ଡିସେମ୍ବର ୧ ତାରିଖରେ ଯୋଧପୁର ଉମେଡ଼ ଭବନ ପେଲେସରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ | ବିବାହରେ ଉପସ୍ଥିତ ହେବ ପାଇଁ ଅତିଥି ତାଲିକା ମଧ୍ୟ ପ୍ରିୟଙ୍କା ପ୍ରସ୍ତୁତ କରି ସାରିଛନ୍ତି | ତେବେ ବିବାହରେ ଯୋଡ଼ା ଦେବା ପାଇଁ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିବେ ବୋଲି ଶୁଣିବାକୁ ମିଳିଛି | ପ୍ରିୟଙ୍କା ବର୍ତ୍ତମାନ ଦିଲ୍ଲୀରେ ହିଁ ଅଚାହଁନ୍ତି କିନ୍ତୁ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କୁ ଅନୁମତି ମିଳିଛି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ତେବେ ଦେଖିବା ବାକି ରହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରିୟଙ୍କା ଚୋପ୍ରାଙ୍କ ନିମନ୍ତ୍ରଣ ରକ୍ଷା କରୁ ଯୋଧପୁରରେ ବିବାହ ଉତ୍ସବରେ ଯୋଗ ଦେବେ ନା ନାହିଁ |
ଏହା ପୂର୍ବରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିବାହ ରିସେପସନରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ | ମୋଦି ଉଭୟଙ୍କ ରିସେପସନକୁ ମଧ୍ୟ ଯାଇଥିଲେ | ତେବେ ବିରୁସ୍କାଙ୍କ ରିସେପସନ ଦିଲ୍ଲୀରେ ହିଁ ଥିଲା |
ବିବାହରେ ଯୋଗ ଦେବା ପାଇଁ ସଲମାନ ଖାନଙ୍କ ପୁରା ପରିବାରକୁ ପ୍ରିୟଙ୍କା ନିମନ୍ତ୍ରଣ କରିଛନ୍ତି | ସଲମାନ ଖାନଙ୍କ ଭଉଣୀ ଅର୍ପିତା ପ୍ରିୟଙ୍କାଙ୍କ ଅତି ଘନିଷ୍ଠ ବନ୍ଧୁ | ଏହା ଛଡା ରଣବୀର କପୁର, ଆଲିଆ ଭଟ୍ଟ, କାଟ୍ରିନା କୈଫଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି |
ଶୁଣିବାକୁ ମିଳିଛି ଯେ ପ୍ରିୟଙ୍କା ନିଜ ବିବାହକୁ ଦେଶର ଏହି ବର୍ଷର ସବୁଠାରୁ ବଡ ଏବଂ ସ୍ୱତନ୍ତ୍ର ବିବାହ କାର୍ଯ୍ୟକ୍ରମ ଭାବେ ପ୍ରସ୍ତୁତି କରୁଛନ୍ତି | ତେବେ ପ୍ରିୟଙ୍କାଙ୍କ ବାହାଘର ଦିନ, ଡିସେମ୍ବର ୧ତାରିଖରେ ଦୀପବୀରଙ୍କ ରିସେପସନ ମଧ୍ୟ ରହିଛି |
ନିକଟରେ ପ୍ରିୟଙ୍କା ନିଜ ବିବାହର ଶପିଂ ପ୍ୟାରିସରୁ କରିଛନ୍ତି | ବାହାଘରରେ ପ୍ରିୟଙ୍କାଙ୍କ ଭଉଣୀ ପରିନିତି ଚୋପ୍ରା ଭିଣୋଇଙ୍କ ଠାରୁ ଚପଲ ଚୋରି ପାଇଁ ୫ ମିଲିୟନ ଡଲାର ଦାବି କରି ସାରିଛନ୍ତି | ତେବେ ନିକ ପରିନିତିଙ୍କୁ ଏହାର ଦୁଇଗୁଣ ଦେବେ ବୋଲି କହିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୩୭ କୋଟି ଟଙ୍କା |