ଲକଡାଉନ୍ ନିୟମ ଭାଙ୍ଗି ଫସିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସେଲୁନରେ ଥିବା ବେଳେ ଧରିଲା ପୋଲିସ

Published By : Prameya-News7 Bureau | January 08, 2021 IST

ନୂଆଦିଲ୍ଲୀ ୦୮/୦୧ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋଭିଡ୍-୧୯ ନିୟମ ଭାଙ୍ଗି ଫସିଛନ୍ତି । ଳଣ୍ଡନର ଏକ ସେଲୁନକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା । ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ମା ମଧୁ ମଧ୍ୟ ଥିଲେ । ବ୍ରିଟେନରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାକୁ ଲକ୍ଷ୍ୟ କରି ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ସରକାର । ତେବେ କୋଭିଡ୍ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଲଣ୍ଡନ ପୋଲିସ, ପ୍ରିୟଙ୍କା ଚୋପ୍ରାଙ୍କୁ ଧରିଥିଲା ।

ସୂଚନା ଅନୁସାରେ ଅଭିନେତ୍ରୀଜଣକ ସେଲୁନ୍ ଭିତରେ ଥିଲେ । ସେହି ସମୟରେ ପୋଲିସ ସେଠାରେ ପହଞ୍ଚିଥିଲା । ସେଲୁନ୍‌ ମଧ୍ୟରେ ଉପସ୍ଥିତ ସମସ୍ତଙ୍କୁ ବାହାରକୁ ଆସିବା ପାଇଁ କହିଥିଲା ପୋଲିସ । କିନ୍ତୁ ପ୍ରିୟଙ୍କା ଏବଂ ତାଙ୍କ ମା ବାହାରକୁ ଆସିନଥିଲେ । ପୋଲିସ ବାଧ୍ୟ ହୋଇ ଭିତରକୁ ପଶିବାରୁ ପ୍ରିୟଙ୍କା ଏବଂ ତାଙ୍କ ମା ବାହାରକୁ ଚାଲି ଆସିଥିଲେ ଏବଂ ଫାଇନ ମଧ୍ୟ କାଟି ନଥିଲେ ।

ସୂଚନା ଅନୁସାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ରହୁଛନ୍ତି ଏବଂ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଫିଲ୍ମର ପ୍ରସ୍ତୁତି ପାଇଁ ପ୍ରିୟଙ୍କା ସେଲୁନ ଯାଇଥିବା ପୋଲିସକୁ କହିଛନ୍ତି । ତାଙ୍କର ଜଣେ ମୁଖପାତ୍ର ପୋଲିସକୁ କହିଛନ୍ତି ଯେ, ସରକାରଙ୍କ ଗାଇଡଲାଇନ ମାନି ପ୍ରିୟଙ୍କା ହେୟାର କଲର କରିବା ପାଇଁ ସେଲୁନକୁ ଯାଇଥିଲେ । ଯେହେତୁ ତାଙ୍କର ଫିଲ୍ମ ସୁଟିଂ ହେବାର ଅଛି ସେଥିପାଇଁ ସେ ସେଠାକୁ ଯାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ସେଲୁନ କେବଳ ଉକ୍ତ ପ୍ରଡକ୍ସନ ହାଉସ୍ ପାଇଁ ହିଁ ଖୋଲାଥିଲା ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ।

ତେବେ ଆାବଶ୍ୟକୀୟ ଦସ୍ତାବିଜ ଦେଖାଇବା ପରେ ପୋଲିସ କୌଣସି ଫାଇନ କାଟିନଥିଲା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇନଥିଲା । ଏହା ସହ ଉକ୍ତ ସେଲୁନର ମାଲିକଙ୍କୁ କୋଭିଡ୍ ଗାଇଡାଇନ ମାନିବା ପାଇଁ ଚେତାବନୀ ଦେଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.