ଟ୍ୟୁସନ ସାରଙ୍କ ମାଡରେ ଛଅବର୍ଷ ଛାତ୍ରର ମୃତ୍ୟୁ , ୨ମାସ ପରେ ଶୁଖିଲା କୂଅରୁ ମିଳିଲା ମୃତଦେହ

Published By : Prameya-News7 Bureau | January 29, 2020 IST

ଆହ୍ଲାବାଦ ୨୯।୦୧: ଦୁଇ ମାସ ପରେ ମିଳିଲା ନିଖୋଜ ଛାତ୍ରର ମୃତଦେହ । ଉତ୍ତରପ୍ରଦେଶ ଆହ୍ଲାବାଦ ଅନ୍ତର୍ଗତ ସୌରାବ ଗାଁର ନିକଟରେ ଥିବା ଏକ କୂଅରୁ ମୃତଦେହ ମିଳିଛି । ପୋଲିସ ଘଟଣାରେ ତଦନ୍ତ କରି କୁଅଁର ଭାନ ସିଂହ ନାମକ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଶିକ୍ଷକଙ୍କ ମାଡରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ଅଧିକ ତଥ୍ୟ ପାଇଁ ଶିକ୍ଷକଙ୍କୁ ପଚରାଉଚରା ଜାରି ରଖିଛି । ମୃତ ଛାତ୍ରଙ୍କ ନାମ ଆନନ୍ଦ ବୋଲି ଜଣାପଡିଛି । ଏବଂ ତାଙ୍କ ବୟସ ମାତ୍ର ଛଅ ବର୍ଷ ବୋଲି ଜଣାପଡିଛି ।

ଗତବର୍ଷ ନଭେମ୍ବର ୧୩ ତାରିଖ ଦିନ ଆନନ୍ଦଙ୍କୁ ପାଠ ପଢାଉଥିଲେ ଟ୍ୟୁସନ ଶିକ୍ଷକ କୁଅଁର । ପାଠ ପଢା ସମୟରେ କୌଣସି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ ଆନନ୍ଦ । ଶେଷରେ ଶିକ୍ଷକ ରାଗିଯାଇ ଛାତ୍ରଙ୍କ ଏକ ଧକ୍କା ମାରିଦେଇଥିଲା । ଛାତ୍ର ଜଣଙ୍କ ଘର କାନ୍ଥରେ ଖୁବ୍ ଜୋରରେ ମାଡ ହୋଇ ତଳେ ପଡିଯାଇଥିଲା । ତଳେ ପଡିଥିବା ଆନନ୍ଦଙ୍କ କାନ ଓ ମୁହଁରୁ ରକ୍ତ ବାହାରିଥିଲା । ବେହୋସ ପଡିଥିବା ଆନନ୍ଦଙ୍କୁ କୁଅଁର ଡାକିଥିଲା । କିନ୍ତୁ ସେ କୌଣସି ଜବାବ ନଦେଇ ତଳେ ପଡିରହିଥିଲା । ଆନନ୍ଦ କୌଣସି ପ୍ରଶ୍ନର ଉତ୍ତର ନଦେବାରୁ ଶିକ୍ଷକ , ତାଙ୍କୁ ମୃତ୍ୟୁ ବୋଲି ଭାବିନେଇଥିଲେ କୁଅଁର । ଆନନ୍ଦର ଶବକୁ ନେଇ ନିକଟରେ ଥିବା ଏକ କ୍ଷେତକୁ ନେଇଯାଇଥିଲେ ଶିକ୍ଷକ । କ୍ଷେତରେ ଥିବା ଏକ ଶୁଖିଲା କୂଅରେ ଆନନ୍ଦର ମୃତଦେହକୁ ଫିଙ୍ଗି ଦେବା ସହ ମୃତଦେହ ଉପରେ କିଛି ଘାସ ପକାଇ ଘୋଡାଇ ଦେଇଥିଲା ।

ଆନନ୍ଦ ଘରକୁ ନଫେରିବା ଦେଖି ପରିବାର ଲୋକ ବ୍ୟସ୍ତ ହୋଇଯାଇଥିଲେ । ମାତା-ପିତା ଶିକ୍ଷକଙ୍କୁ ଆନନ୍ଦଙ୍କ ବିଷୟରେ ପଚାରିଥିଲା । କିନ୍ତୁ ଆନନ୍ଦ ଆଜି ପାଠ ପଢିବାକୁ ଆସିନାହିଁ ବୋଲି ଶିକ୍ଷକ କହିଥିଲେ । ପରେ ଥାନାରେ ଏକ ଅଭିଯୋଗ କରାଯାଇଥିଲା । ନଭେମ୍ବର ମାସରୁ ତଦନ୍ତ କରୁଥିବା ପୋଲିସକୁ ସୋମବାର ଦିନ ଏକ ଶୁଖିଲା କୂଅରୁ ଛାତ୍ରର ମୃତଦେହ ମିଳିଥିଲା । ମିଳିଥିବା ସୂଚନା ଆଧାରରେ ପୋଲିସ ଶିକ୍ଷକ କୁଅଁରଙ୍କୁ ପଚାଉଚରା କରିଥିଲା । ଶିକ୍ଷକ ପୋଲିସ ସମ୍ମୁଖରେ ନିଜର ଅପରାଧ ସ୍ବୀକାର କରିଛନ୍ତି । ପୋଲିସକୁ ମୃତଦେହ ଫିଙ୍ଗିଥିବା ସ୍ଥାନକୁ କୁଅଁର ନେଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.