ଘରୋଇ ଟ୍ରେନ ଅପରେଟର ନିଜେ ସ୍ଥିର କରି ପାରିବେ ନିଜ ରହଣୀ ଷ୍ଟେସନ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬।୮: ଦେଶର ୧୦୯ଟି ରେଳ ମାର୍ଗରେ ୧୫୦ଟି ଘରୋଇ ଟ୍ରେନ ଚଳାଚଳ ଲାଗି ଅପରେଟରଙ୍କୁ ଦାୟିତ୍ୱ ଦେବେ ରେଳବାଇ। ଏଣୁ ଏହି ଟ୍ରେନ ଅପରେଟର ଯେଉଁ ଷ୍ଟେସନରେ ଚାହିଁବେ ସେମାନଙ୍କ ଟ୍ରେନର ରହଣୀ ନିର୍ଦ୍ଧାରିତ କରିପାରିବେ ବୋଲି ରେଳବାଇ ସ୍ୱତନ୍ତ୍ରତା ଦେଇଛନ୍ତି। ରେଳବାଇ ପକ୍ଷରୁ ଏ ନେଇ ଜାରି କାଗଜପତ୍ରରେ ଏ ନେଇ ସୂଚନା ଦିଆଯାଇଛି। ତେବେ ଘରୋଇ ଟ୍ରେନ ଅପରେଟର କେଉଁ ଷ୍ଟେସନରେ ତାଙ୍କ ଟ୍ରେନର ରହଣୀ ଚାହାନ୍ତି ତାର ସୂଚୀ ପୂର୍ବରୁ ଦେବେ ବୋଲି ରେଳବାଇ ସର୍ତ୍ତ ରଖିଛନ୍ତି।

ସେହିପରି ଘରୋଇ ଟ୍ରେନ ସଞ୍ଚାଳକ ରହଣୀ ସୂଚୀ ସହ ସେମାନଙ୍କ ଟ୍ରେନ କେତେବେଳେ କେଉଁ ଷ୍ଟେସନ ଛାଡିବ ଓ କେତେବେଳେ କେଉଁ ଷ୍ଟେସନରେ ପହଞ୍ଚିବ ଏବଂ ଛାଡିବ ତାର ମଧ୍ୟ ଅଗ୍ରୀମ ତଥ୍ୟ ଦେବେ। ସେମାନଙ୍କ ଟ୍ରେନର ରହଣୀ ସମୟ ସାରଣୀ ଅନୁନ୍ୟ ୧ ବର୍ଷ ଲାଗି ହେବ। ଏହା ପରେ ଗନ୍ତବ୍ୟରେ ସେମାନଙ୍କ ରହଣୀର ପୁନଃ ସମୀକ୍ଷା କରିପାରିବେ।

ଆବେଦନ ପୂର୍ବ ବୈଠକରେ ଯୋଗଦେଇଥିବା ଘରୋଇ ସଞ୍ଚଳକ ଏ ନେଇ ପ୍ରଶ୍ନ କରିଥିଲେ। ଏହାର ଜବାବରେ ରେଳବାଇ ରିହାତି ବୁଝାମଣା ନିୟମ ସର୍ତ୍ତ ମୂତାବକ ରହଣୀ ଷ୍ଟେସନର ଚୟନରେ କୋହଳ ମନଭାବ ପୋଷଣ କରିବେ ବୋଲି କହିଛନ୍ତି। ତେବେ ରେଳବାଇ ସ୍ପଷ୍ଟ କରିଦେଇଛନ୍ତି ଯେ ଘରୋଇ ରେଳ ଅପରେଟରଙ୍କ ଟ୍ରେନ ଦ୍ରୁତଗାମୀ ହେବ। ଏଣୁ ସେମାନେ ରାସ୍ତାରେ ଅଧିକ ରହଣୀ ନ କରିବା ସେମାନଙ୍କ ଲାଗି ଉତ୍ତମ ହେବ । ତେବେ ଘରୋଇ ଟ୍ରେନ ଅପରେଟର ସେମାନଙ୍କ ସୂଚନାରେ ସେହି ସବୁ ଷ୍ଟେସନକୁ ମଧ୍ୟ ସ୍ଥାନିତ କରିବେ ଯେଉଁଠାରେ ଟ୍ରେନ  ପାଣି ବୋଝେଇ ସହ ସଫାସୁତୁରା ପାଇଁ ରହିବ ବୋଲି ରେଳବାଇ ସ୍ପଷ୍ଟ କରିଦେଇଛନ୍ତି। ଏହା ଛଡା ସଞ୍ଚାଳନ ଜନିତ ଅପରିହାର୍ଯ୍ୟ ପରିସ୍ଥିତିରେ ମଧ୍ୟ ଟ୍ରେନକୁ ଯେ କୌଣସି ଷ୍ଟେସନରେ ରହିବାକୁ ଅନୁମତି ମିଳିପାରିବ ବୋଲି ରେଳବାଇ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.