ସେରମ୍ ସିଇଓ ଆଦର ପୁନାଓ୍ବାଲାଙ୍କ ସୂଚନା : ଘରୋଇ ହସ୍ପିଟାଲଗୁଡିକୁ ମାର୍ଚ୍ଚରେ ମିଳିବ ଭ୍ୟାକସିନ୍, ମୂଲ୍ୟ ରହିବ ଏତିକି…
5/01/2021 at 9:26 PM

ନୂଆଦିଲ୍ଲୀ ୦୫/୦୧ : ଦେଶରେ କରୋନା ଭ୍ୟାକସିନ୍ ବ୍ୟବହାର ପାଇଁ DCGI ଅନୁମତି ଦେଇସାରିଛନ୍ତି । ୧୦ ଦିନ ମଧ୍ୟରେ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ । ତେବେ ଏହାରି ମଧ୍ୟ ଗୋଟିଏ ବଡ ସମସ୍ୟା ସୃଷ୍ଟି ହୋଇଛି । ପ୍ରଶ୍ନ ହେଉଛି, ଘରୋଇ ହସ୍ପିଟାଲମାନଙ୍କୁ ଟିକାକରଣ ପାଇଁ ଅନୁମତି ମିଳିବ କି?
ଏହାର ଉତ୍ତରରେ ସେରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଆଦର ପୁନାଓ୍ବାଲା କହିଛନ୍ତି, ମାର୍ଚ୍ଚ ସୁଦ୍ଧା ପ୍ରାଇଭେଟ୍ ହସ୍ପିଟାଲଗୁଡିକରେ ଟିକାକରଣ ପାଇଁ ଭ୍ୟାକସିନ ଉପଲବ୍ଧ ହେବ । ତେବେ ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍କୁ ବ୍ୟବହାର ପାଇଁ DCGI ଡାକ୍ତର ଭିଜି ସୋମାନୀ ସବୁଜ ସଙ୍କେତ ଦେବା ପରେ ସେରମ୍ ସିଇଓ ଆଦର ପୁନାଓ୍ବାଲା ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ତେବେ ପୁନାଓ୍ବାଲା କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କେତେ ପରିମାଣର ଭ୍ୟାକସିନ ନେବେ ସେ ନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି । ସେପଟେ ଭାରତ ସରକାର, ଏକ ମାସରେ ମଧ୍ୟରେ ପ୍ରାୟ ୫/୬ କୋଟି ଭ୍ୟାକସିନ୍ ନେବାକୁ ଲକ୍ଷ୍ୟ ରଖିଛନ୍ତି ଅର୍ଥାତ ପ୍ରତି ସପ୍ତାହରେ ୧ ରୁ ୧.୫ କୋଟି ଭ୍ୟାକସିନ୍ ଆବଶ୍ୟକ । ସରକାରଙ୍କୁ ପ୍ରଥମ ପର୍ଯ୍ୟାୟ ଭ୍ୟାକସିନ୍ ଦିଆଯିବା ପରେ ଏହା ଘରୋଇ ହସ୍ପିଟାଲଗୁଡିକରେ ଉପଲବ୍ଧ ହେବ ।
ଏଥି ପାଇଁ ଅତିକମରେ ଦୁଇ ରୁ ଅଢେଇ ମାସ ସମୟ ଲାଗିବ । ତେବେ ଭ୍ୟାକସିନ୍ର ୨ଟି ଡୋଜ୍ ପରେ ଯାଇ ୯୦ ପ୍ରତିଶତ ସଂକ୍ରମଣକୁ ଏଡାଇ ଦେଇପାରିବା । ଏଥି ପାଇଁ ସମୟ ମଧ୍ୟ ଲାଗିବ । ପୁନାଓ୍ବାଲା କହିଛନ୍ତି, କେନ୍ଦ୍ର ସରକାର ପ୍ରଥମ ୧୦ କୋଟି ଟିକା ପାଇଁ ପ୍ରତି ଭ୍ୟାକସିନ ପିଛା ୨୦୦ ଟଙ୍କା ଦେବେ । ତେବେ ଘରୋଇ ବଜାରରେ ଭ୍ୟାକସିନ୍ର ମୂଲ୍ୟ ପ୍ରତି ଡୋଜ୍ ପିଛା ଏକ ହଜାର ଟଙ୍କା ରହିବ ।