ଦ୍ଵିତୀୟ ଟି-୨୦ରୁ ବାଦ୍ ପଡି ପାରନ୍ତି ପୃଥ୍ଵୀ ଶ ଓ ସୂର୍ଯ୍ୟକୁମାର ଯାଦବ, ଏମିତି ହୋଇପାରେ ଭାରତ ପ୍ଲେଇଙ୍ଗ ଇଲେଭେନ୍

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ ୨୬।୦୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ମଙ୍ଗଳବାର କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପୃଥ୍ଵୀ ଶ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ଚୟନ ହୋଇଛନ୍ତି। ଦୁଇ ଖେଳାଳି ଶ୍ରୀଲଙ୍କାରୁ ସିଧାସଳଖ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ।

କୁହାଯାଉଛି, ଦୁଇ ଖେଳାଳି ଗୋଟିଏ ବାୟୋ ବବଲରୁ ସିଧା ଅନ୍ୟ ବାୟୋ ବବଲରେ ପ୍ରବେଶ କରିବେ। ତେଣୁ ଦୁଇ ଖେଳାଳିଙ୍କୁ ବାଧ୍ୟତାମୂଳଖ ପୃଥକବାସରେ ରହିବାକୁ ପଡିବ ନାହିଁ। ତେଣୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଦଳ ପ୍ରବନ୍ଧକ ଶ ଓ ସୂର୍ଯ୍ୟକୁମାରଙ୍କୁ ଦ୍ଵିତୀୟ ଟି-୨୦ରେ ବିଶ୍ରାମ ଦେଇ ପାରନ୍ତି। ତାଙ୍କ ସ୍ଥାନରେ ଋତୁରାଜ ଗାଏକୋଓ୍ଵାଡ ଓ ଦେବଦତ୍ତ ପାଡିକଲଙ୍କୁ ଦଳରେ ସୁଯୋଗ ମିଳିପାରେ।

ମନୀଷ ପାଣ୍ଡେଙ୍କୁ ଦିନିକିଆରେ ସୁଯୋଗ ମିଳିଥିଲେ ମଧ୍ୟ, ସେ ବିଶେଷ କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ତେଣୁ ଦଳକୁ ଫେରିବା ତାଙ୍କ ପାଇଁ କିଛିଟା ମୁସ୍କିଲ। ଏହି ଦୁଇଟି ପରିବର୍ତ୍ତନ ବ୍ୟତୀତ ଦଳ ପ୍ରବନ୍ଧକ ଆଉ କିଛି ବିଶେଷ ଅଦଳ  ବଦଳ କରି ନପାରନ୍ତି। ଏମିତିରେ କୋଚ୍ ରାହୁଲ ଦ୍ରାବିଡଙ୍କୁ ସଞ୍ଜୁ ସାମସନଙ୍କ ଉପରେ ବହୁତ ଭରସା ରହିଛି। ଯଦି ସେ ଆଗାମୀ ଦୁଇଟି ମୁକାବିଲାରେ ବଡ ସ୍କୋର କରିବାରେ ବିଫଳ ହୁଅନ୍ତି ତେବେ ଏହି ସିରିଜ୍ ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ।  ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଫର୍ମ ଚିନ୍ତାର କାରଣ ପାଲଟିଛି। ଏ ପର୍ଯ୍ୟନ୍ତ ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ରନ ଦେଖିବାକୁ ମିଳିନାହିଁ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ଦେବଦତ୍ତ ପାଡିକଲ, ଶିଖର ଧାଓ୍ଵନ(ଅଧିନାୟକ), ସଞ୍ଜୁ ସାମସନ, ଋତୁରାଜ ଗାଏକଓ୍ଵାଡ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, କୃଣାଲ ପାଣ୍ଡ୍ୟା, ଦୀପକ ଚହର, ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.