ବେଗୁନିଆରୁ ଟିକେଟ୍ ପାଇଥିଲେ ବି ନିର୍ବାଚନ ଲଢିବେନି ପୃଥ୍ବୀବଲ୍ଲଭ ପଟ୍ଟନାୟକ, କାରଣ କ’ଣ ଜାଣନ୍ତୁ
3/04/2019 at 1:49 PM

ଭୁବନେଶ୍ବର ୩|୪ : ନିର୍ବାଚନ ଲଢିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ । ବେଗୁନିଆରୁ ଲଢିବାକୁ ଗତକାଲି କଂଗ୍ରେସରୁ ଟିକେଟ୍ ପାଇଥିଲେ ପୃଥ୍ବୀବଲ୍ଲଭ ।ପୂର୍ବରୁ ମଧ୍ୟ ସେ ବେଗୁନିଆରୁ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଆଜି ହଠାତ୍ ନିର୍ବାଚନ ଲଢିବାକୁ ପୃଥ୍ବୀ ମନା କରିଦେଇଛନ୍ତି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିର୍ବାଚନ ଲଢିବାକୁ ମନା କରିଛନ୍ତି ବୋଲି ନିରଂଜନ କହିଛନ୍ତି । ପୃଥ୍ବୀ ନିର୍ବାଚନରୁ ଓହରିବା ପଛର କାରଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ବେଗୁନିଆରେ ବୁଲି ବୁଲି ସଂଗଠନ କରୁଥିଲେ ପୃଥ୍ବୀ । ତାଙ୍କ କାମ ଓ ଲବି ପାଇଁ ଦଳ ତାଙ୍କୁ ଟିକେଟ୍ ବି ଦେଇଥିଲା । ତେବେ ପୃଥ୍ବୀ ନିର୍ବାଚନକୁ ମନା କରିବା ପଛରେ ରହିଥିବା ବ୍ୟକ୍ତିଗତ କାରଣକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ? ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ଜାମାତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡି ଖଣ୍ଡପଡ଼ାରୁ ପ୍ରାର୍ଥୀ କରିଥିଲା । ପୂର୍ବରୁ ସୌମ୍ୟଙ୍କ ଭାଇ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଉଭୟ ଘସିପୁରା ଓ ଭଣ୍ଡାରିପୋଖରୀରୁ ଲଢିବାର ନିଷ୍ପତ୍ତି ନେଇଛନ୍ତି । ତାଙ୍କ ପୁଅ ନବଜ୍ୟୋତି ବାଲେଶ୍ବରରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ହୋଇଛନ୍ତି ।
ଏମିତିରେ ପଟ୍ଟନାୟକ ପରିବାର ହାତରେ ୫ ଆସନ ପଡ଼ିଥିଲା । ଏ ଚର୍ଚ୍ଚା ଆଗକୁ ବଢୁଥିବା ବେଳେ ଜାନକୀ ବଲ୍ଲଭଙ୍କ ପୁଅ ବ୍ୟାକଫୁଟକୁ ଆସିବା ରୋଚକ ରାଜନୈତିକ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଛି । ଖଣ୍ଡପଡାରୁ ବିଜେଡି ଟିକେଟ ପାଇଥିବା ରାଜ୍ୟସଭା ସାଂସଦସୌମ୍ୟ ରଂଜନ ପଟ୍ଟନାୟକଙ୍କ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡରେ ପୃଥ୍ବୀ ବଲ୍ଲବ ମଧ୍ୟ ଭାଗିଦାରୀ । ଗୋଟିଏ ସଂସ୍ଥାରୁ ଦୁଇଜଣ ଦୁଇଟି ଦଳରୁ ଲଢିବା ଦ୍ବାରା ଉଭୟଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ସୌମ୍ୟଙ୍କ ଚାପରେ ପୃଥ୍ବୀ ନିର୍ବାଚନ ଲଢିବାରୁ ଓହରିଥିବା କୁହାଯାଉଛି ।