ରୋଡ୍ କ୍ଲିୟରାନସକୁ ଦିଆଯାଉଛି ପ୍ରାଥମିକତା, ୪୮ଘଣ୍ଟା ଭିତରେ ବିଦ୍ୟୁତ୍ ଓ ପାଣି ଦେବା ପାଇଁ ସରକାରଙ୍କ ପ୍ରତିଶ୍ରୁତି ସମ୍ଭବ ନୁହେଁ

Published By : Prameya-News7 Bureau | May 05, 2019 IST

ଭୁବନେଶ୍ବର ୫|୫: ଫୋନି ତାଣ୍ଡବରେ ସବୁ କିଛି ଛିନଛତ୍ର ହୋଇଯାଇଛି । ଉପୁଡ଼ି ପଡ଼ିଛି ଲକ୍ଷ ଲକ୍ଷ ଗଛ, ଇଲେକ୍ଟ୍ରିଖୁଣ୍ଟ । ବେଘର ହୋଇଯାଇଛନ୍ତି ଲକ୍ଷାଧିକ ଲୋକ । କେତେ ସହର କେତେ ଗାଁ ଉଜୁଡ଼ି ଯାଇଛି ତା’ର କିଛି ହିସାବ ନାହିଁ । ବାତ୍ୟା ଯିବା ପରେ ଆରମ୍ଭ ହୋଇଛି ସବୁ କିଛି ସଜାଡ଼ିବା ପ୍ରକ୍ରିୟା । ଦିନରାତି ଏକ କରିଦେଇଛନ୍ତି ଏନଡିଆରଏଫ, ଓଡ୍ରାଫ୍, ଅଗ୍ନିଶମ ବାହିନୀ । ବାତ୍ୟା ଫୋନି ଦ୍ବାରା ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା । ଫୋନିର ପ୍ରଭାବ ମହାବାତ୍ୟାଠୁ ମଧ୍ୟ ଅଧିକ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ସ୍ବୀକାର କରିଛନ୍ତି । ପରିସ୍ଥିତି ସୁଧୁରିବା ପାଇଁ ଅନ୍ୟୁନ ୧୫ଦିନ ସମୟ ଲାଗିବ ।୪୮ଘଣ୍ଟା ଭିତରେ ୧୦ଲକ୍ଷ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ସରକାର କହୁଥିଲେ ମଧ୍ୟ ତାହା ସମ୍ଭବ ହେଲା ଭଳି ସ୍ଥିତି ନାହିଁ ।

୧୨ଘଣ୍ଟା ଘାଣ୍ଟିଲା । ତୁହାକୁ ତୁହା ଛେଚିଲା । ସାମ୍ନାରେ ଯାହା ପଡ଼ିଲା ଉଡ଼ାଇଲା, ଭାଙ୍ଗିଲା । ଦିନ ଆଲୁଅରେ ନିଜ ଆଖି ସାମ୍ନାରେ ସବୁ କିଛି ଛନଛତ୍ର ହେବାର ଦେଖୁଥଲା ଅସହାୟ ମଣିଷ । ପ୍ରକୃତିର ତାଣ୍ଡବ ଆଗରେ ଯେମିତି ସବୁ ପ୍ରସ୍ତୁତି, ସବୁ ବ୍ୟବସ୍ଥା ହାର୍ ମାନିଥିଲା । ମାତ୍ର କେଇ ଘଣ୍ଟା ଭିତରେ ଉଜୁଡ଼ି ଯାଇଥିଲା ସହରର ସୌନ୍ଦର୍ଯ୍ୟ । ଗାଁର ସବୁଜିମା । ହଜାର ହଜାର ଗଛ ଭାଙ୍ଗି ଭୂଇଁରେ ଲୋଟୁଥିଲା । ଉଡ଼ୁଥିଲା ଟିଣ ଛପର ଘରର ଛାତ । ୯୯ ମସିହାର କଥା କେବଳ ଶୁଣିଥିବା ନୂଆପୀଢ଼ୀ ବାତ୍ୟାର ଭୟାବହତାକୁ ନିଜ ଆଖିରେ ଦେଖି ଅବାକ୍  ହୋଇଯାଉଥିଲେ । ଏବେ ବାତ୍ୟା ଚାଲିଯାଇଛି । ଆଉ ଛାଡ଼ି ଯାଇଛି ନାହିଁ ନାହିଁର ଚିତ୍ର । ପାଣି ନାହିଁ ବିଜୁଳି ନାହିଁ, ଠପ୍ ହୋଇଯାଇଛି ଟେଲିଫୋନ୍ ଆଉ ଇଣ୍ଟରନେଟ୍ ସେବା । ପୁଣି ସବୁ କିଛି ସ୍ବାଭାବିକ ହେବ । ହେଲେ ଏଥି ପାଇଁ ସମୟ ଲାଗିବ । ଜୋରସୋରରେ ଆରମ୍ଭ ହୋଇଛି ପୁନଃରୁଦ୍ଧାର କାମ । ପ୍ରଥମ ପର୍ଯ୍ୟାୟରେ ଗମନାଗମନ ସ୍ବାଭାବିକ କରିବାକୁ ଦିଆଯାଇଛି ଗୁରୁତ୍ବ । ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪୦ ଏନଡିଆରଏଫ୍ ଟିମ୍ । ଆଉ ୪ଟି ଟିମ୍ ଆସୁଛନ୍ତି । ବାତ୍ୟା ଫୋନି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଅଧିକ ଫୋକସ କରାଯାଉଛି । ପୁରୀରେ ୭ ଏବଂ ଭୁବନେଶ୍ବରରେ ୧୫ ଏନଡିଆରଏଫ୍ ଟିମ୍ ଗଛ କାଟି ରାସ୍ତା ସଫା କରିବା କାମରେ ଲାଗିଛନ୍ତି । ରୋଡ୍ କ୍ଲିୟରାନସକୁ ପ୍ରାଥମିକତା ଦିଆଯାଇଛି ।

ବାତ୍ୟା ଜନିତ ଅସ୍ବାଭିବକ ହୋଇପଡ଼ିଥିବା ସ୍ଥିତିକୁ ସ୍ବାଭାବିକ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ହେଲେ କେତେ ଶୀଘ୍ର ଏହା ସମ୍ଭବ ହୋଇପାରୁଛି ତାହା ହେଉଛି ଏବେ ସବୁଠାରୁ ବଡ଼ ଚାଲେଂଜ୍ । ପ୍ରାୟ ସବୁ ଅଂଚଳକୁ ଇଲେକ୍ଟ୍ରିସିଟି, ପିଇବା ପାଣି ଯୋଗାଇଦେବା ଗୁରୁତ୍ବପୂର୍ଣ୍ଣ କାମ । ବାତ୍ୟା ଫୋନିର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତ ବୋଲି  କହୁଥିବା ସରକାରଙ୍କ ପକ୍ଷରେ ଏବେ ବି ସବୁ କିଛି ନିୟନ୍ତ୍ରଣରେ ନାହିଁ । କାରଣ ଟେଲିଫୋନ୍, ଇଣ୍ଟରନେଟ୍  ସେବା ବ୍ୟାହତ ହେବା ଯୋଗୁଁ ସବୁ ଯାଗାରୁ ଠିକ୍ ଭାବେ କ୍ଷୟକ୍ଷତିର ଇନଫର୍ମେସନ ମଧ୍ୟ ଆସିପାରୁନାହିଁ । ଏମିତିରେ ପୁନରୁଦ୍ଧାର କାମ କିଭଳି ତ୍ବରାନ୍ବିତ ହୋଇ ପାରିବ ତାକୁ ନେଇ ଉଠିଛି ପ୍ରଶ୍ନ । ଲକ୍ଷ ଲକ୍ଷ ବସ୍ତିବାସିନ୍ଦା ଯେଉଁମାନେ କଚ୍ଚା ଘରେ ରହୁଥିଲେ ସେମାନେ ଏବେ ବାସହରା ହୋଇପଡ଼ିଛନ୍ତି । ବାତ୍ୟା ଆଶ୍ରୟସ୍ଥଳରେ ଜୀବନ ସିନା ବଞ୍ଚିଗଲା ହେଲେ ଉଜୁଡ଼ା ଘରକୁ ପୁଣି ସଜାଡ଼ିବାର ରାହା ଖୋଜୁଛନ୍ତି ଲୋକେ । ପିଲା ପରିବାରଙ୍କ ମୁଣ୍ଡ ଉପରକୁ ଛାତ ଖଣ୍ଡକ ଯୋଗାଡ଼ କରିବାକୁ ଚିନ୍ତା କଲା ବେଳକୁ ଚାରିଆଡ଼ ଅନ୍ଧାର ଦେଖାଯାଉଛି । ଇଏତ ଥିଲା ନଥିଲା ବାଲାଙ୍କ କଥା । ଥିଲାବାଲା ବି ଏବେ ଅସହାୟ ହୋଇପଡ଼ିଛନ୍ତି । ବଜାରରେ ଖାଦ୍ୟ ସାମଗ୍ରୀର କୃତ୍ରିମ ଅଭାବ ସେମାନଙ୍କୁ ବିବ୍ରତ କରୁଛି । ମଉକାର ଫାଇଦା ଉଠାଇ ୫ଟଙ୍କାର ଜିନିଷଙ୍କୁ ୨୫ଟଙ୍କାରେ ବିକ୍ରି କରିବାରେ ମାତିଛନ୍ତି ଅସାଧୁ ବ୍ୟବସାୟୀ । ଯୋଗାଣ ବିଭାଗର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏସବୁ ଭିତରେ ବାତ୍ୟା ଫୋନି ଦ୍ବାରା କ୍ଷତିଗ୍ରସ୍ତ ଅଂଚଳରେ ସରକାରୀସ୍ତରରେ  ପୁନରୁଦ୍ଧାର କାମକୁ କିଭଳି ଯୋରଦାର କରାଯାଇପାରିବ ତାହା ହିଁ ବର୍ତ୍ତମାନ ସମୟରେ ସବୁଠୁ ବଡ଼ ପ୍ରଶ୍ନ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.