ସ୍କୁଲ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କଲେ ଛାତ୍ରୀ, ରାଗିଯାଇ ପ୍ରିନ୍ସିପାଲ ଫିଙ୍ଗିଦେଲେ ଏସିଡ୍
24/12/2019 at 10:42 AM

ମୁମ୍ବାଇ ୨୪।୧୨: ମୁମ୍ବାଇ କଞ୍ଜୁରମାର୍ଗ ଅଞ୍ଚଳରେ ଏସିଡ୍ ମାଡରେ ଜଣେ ସ୍କୁଲ ଛାତ୍ରୀ ଆହତ ହୋଇଛନ୍ତି । ଛାତ୍ରୀଙ୍କ ଉପରେ ସ୍କୁଲ ପ୍ରିନ୍ସିପାଲ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଆହତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ସ୍କୁଲ ପ୍ରିନ୍ସିପାଲଙ୍କ ସମେତ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ପ୍ରିନ୍ସିପାଲଙ୍କ ସହ ସ୍କୁଲର ଅନ୍ୟ ଜଣେ ଶିକ୍ଷକ ଏବଂ ଦୁଇ କର୍ମଚାରୀ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ସ୍କୁଲ ପ୍ରିନ୍ସିପାଲ ସଂପୃକ୍ତ ଛାତ୍ରୀଙ୍କ ଉପରେ ଏସିଡ୍ ଫିଙ୍ଗିଥିବା ନେଇ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ସ୍କୁଲର ପ୍ରିନ୍ସିପାଲ ଯେତେବେଳେ ଛାତ୍ରୀଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ ସେତେବେଳେ ଅନ୍ୟ ତିନି ଜଣ ମିଶି ଛାତ୍ରୀଙ୍କ ଧରିଥିଲେ ବୋଲି ଜଣାପଡିଛି । ଅନ୍ୟ ଜଣେ ଶିକ୍ଷକ ସଂପୃକ୍ତ ଛାତ୍ରୀଙ୍କୁ ପୂର୍ବରୁ ଦଣ୍ଡ ଦେଇଥିବାରୁ ସେ ପୋଲିସରେ ଅଭିଯୋଗ କରିଥିଲେ । ଫଳରେ ସଂପୃକ୍ତ ଛାତ୍ରୀଙ୍କ ଉପରେ ରାଗ ରଖି ସ୍କୁଲ ପ୍ରିନ୍ସିପାଲ ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି ।
ଘଟଣା ପରେ ଛାତ୍ରୀ ଜଣଙ୍କ ଫୋନ୍ ଯୋଗେ ତାଙ୍କ ବାପାଙ୍କୁ ସମସ୍ତ ଘଟଣା କହିଥିଲେ । ସଙ୍ଗେ ସଙ୍ଗେ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।