ମେରଠର ଅନାମିକା: ନକଲି ସାର୍ଟିଫିକେଟ୍ ବଳରେ ହୋଇଥିଲେ ପ୍ରଧାନ ଶିକ୍ଷୟତ୍ରୀ, ୪ ବର୍ଷର ବେତନ ଆଦାୟ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 28, 2020 IST

ମେରଠ ୨୮।୦୮: ଏବେ ମେରଠୁ ଜଣେ ନକଲି ଶିକ୍ଷକଙ୍କ କାରନାମା ସାମ୍ନାକୁ ଆସିଛି। ନକଲି ଅଭିଜ୍ଞତା ପ୍ରମାଣ ପତ୍ର ଆଧାରରେ ଅଭିଯୁକ୍ତ ମହିଳା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହୋଇ ଯାଇଛନ୍ତି। ମହିଳାଙ୍କ ନାମ ପ୍ରିୟଙ୍କା ଶର୍ମା। ସେ ପିଏଭି ଗାର୍ଲ୍ସ ଜୁନିୟର ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ପଦରେ କାର୍ଯ୍ୟରତ ଥିଲେ। ପ୍ରିୟଙ୍କା ଜାଲ ପ୍ରମାଣ ପତ୍ର ଜରିଆରେ ଜିଲ୍ଲା ବିଦ୍ୟାଳୟ ନୀରିକ୍ଷକ ସହାରନପୁରଙ୍କ ହସ୍ତାକ୍ଷର ନେବାରେ ସଫଳ ହୋଇଥିଲେ। ଏହି ପ୍ରକ୍ରିୟାରେ ତାଙ୍କୁ ୨୦୧୬ରେ ପ୍ରଧାନ ଶିକ୍ଷୟତ୍ରୀ ପଦରେ ଚାକିରି ମିଳିଥିଲା।

ଗତ ୪ ବର୍ଷ ହେବ ପ୍ରିୟଙ୍କା ଶର୍ମା ନକଲି ପ୍ରମାଣପତ୍ର ଜରିଆରେ ପ୍ରଧାନ ଶିକ୍ଷୟତ୍ରୀ ପଦରେ କାର୍ଯ୍ୟରତ ଥିଲେ। ମେରଠ ଜିଲା ସାଧାରଣ ଶିକ୍ଷା ଅଧିକାରୀ ଅଭିଜ୍ଞତା ପତ୍ର ନକଲି ଥିବା ଜାଣିବା ପରେ ତୁରନ୍ତ ପ୍ରଭାବରୁ ପ୍ରିୟଙ୍କା ଶର୍ମାଙ୍କ ନିଯୁକ୍ତି ବନ୍ଦ କରିଛନ୍ତି। ପ୍ରିୟଙ୍କା ନିଯୁକ୍ତି ୨୦୧୬  ଜୁଲାଇ ୨୩ରେ ହୋଇଥିଲା।

ଏମିତି ଖୁଲାସା ହେଲା ପ୍ରିୟଙ୍କାଙ୍କ ଜାଲିଆତି

ପ୍ରିୟଙ୍କା ଶର୍ମାଙ୍କ ଚୟନ ପିଏଭି ଗାର୍ଲ୍ସ ଜୁନିୟର ହାଇସ୍କୁଲ ମୋରିପାଡାର ଚୟନ ସମିତିଙ୍କ ଦ୍ଵାରା ହୋଇଥିଲା। ଏହା ପରେ ପ୍ରିୟଙ୍କା ଶର୍ମା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦଭାର ଗ୍ରହଣ କରିଥିଲେ। ନିଯୁକ୍ତି ସମୟରେ ପ୍ରିୟଙ୍କାଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ, ବିଏଡ, ୟୁପି ଟ୍ୟାଟ୍, ଜୁନିୟରସ୍ତର ଓ ପ୍ରାଥମିକସ୍ତରୀୟ ଥିଲା। ପ୍ରଧାନ ଶିକ୍ଷୟତ୍ରୀ ପଦର ଯୋଗ୍ୟତା ପାଇଁ ଅଭିଜ୍ଞତା ସାର୍ଟିଫିକେଟ୍‌ ବାଧ୍ୟତାମୂଳକ ଥିଲା। ତେଣୁ ପ୍ରିୟଙ୍କା ସହାରନପୁର କେଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହୟାତରୁ ଜାଲିଆତି କରି ଅଭିଜ୍ଞତା ସାର୍ଟି ଫିକେଟ୍ ହାସଲ କରିଥିଲେ।

ଅଭିଜ୍ଞତା ପ୍ରମାଣପତ୍ରରେ ସହାରନପୁର ଜିଲ୍ଲା ବିଦ୍ୟାଳୟ ନୀରିକ୍ଷକଙ୍କ ଦସ୍ତଖତ ମଧ୍ୟ ରହିଥିଲା। ଶାସ୍ତ୍ରୀନଗର ନିବାସୀ ଗିରିଶ ଚନ୍ଦ୍ର ଗୁପ୍ତା ସୂଚନା ଅଧିକାର ଆଇନ ବଳରେ ପ୍ରିୟଙ୍କା ଶର୍ମାଙ୍କ ପ୍ରଧାନ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ସମ୍ବନ୍ଧରେ ସୂଚନା ମାଗିଥିଲେ। ସହାରନପୁରର ଡିଆଇଓଏସ କାର୍ଯାଳୟ ସୂଚନା ଉପଲବ୍ଧ କରାଇଥିଲେ। ସୂଚନାରେଏଥିରେ ତ୍ରୁଟି ଦେଖିବା ପରେ ଗିରିଶ ଚନ୍ଦ୍ର ଗୁପ୍ତା  ମେରଠ ମଣ୍ଡଳର କମିସନଙ୍କଠାରେ ପ୍ରିୟଙ୍କାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଏହା ପରେ ମଣ୍ଡଳୀୟ ସହାୟକ ଶିକ୍ଷା ନିର୍ଦ୍ଦେଶକ ଓ ଏଡିଏମ ପ୍ରଶାସନ ଏହି ସଂପର୍କରେ ରିପୋର୍ଟ ତଲବ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଚରନ ସିଂହ ଓ ସୂର୍ଯ୍ୟକାନ୍ତ ଗିରି ଖଣ୍ଡ ଶିକ୍ଷା ଅଧିକାରୀଙ୍କୁ ମାମଲାର ଯାଞ୍ଚ ପାଇଁ ତଦନ୍ତ ଅଧିକାରୀ ନିଯୁକ୍ତି କରିଥିଲେ। ଦୁଇ ତଦନ୍ତ ଅଧିକାରୀ ଅଭିଜ୍ଞତା ପ୍ରମାଣ ପତ୍ର ସଂପୂର୍ଣ୍ଣ ନକଲି ଥିବା ଯାଞ୍ଚରୁ ଜାଣିବାକୁ ପାଇଥିଲେ ଏବଂ ରିପୋର୍ଟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହାକୁ ଭିତ୍ତିକରି ପ୍ରିୟଙ୍କା ଶର୍ମାଙ୍କ ନିଯୁକ୍ତିକୁ ତୁରନ୍ତ ପ୍ରଭାବରୁ ବନ୍ଦ କରାଯାଇଛି। ଏହା ସହିତ ୨୦୧୬ରୁ ଏପର୍ଯ୍ୟନ୍ତ ପାଇଥିବା ବେତନ ଆଦାୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.