ପ୍ରିନସ୍ପାଲଙ୍କ ଦବଙ୍ଗଗିରୀ- ଚାମ୍ବର ଭିତରେ କଲେଜ ଛାତ୍ରଙ୍କୁ ପିଟିଲେ, ସିଏଲ୍ସି ପାଇଁ ଟଙ୍କାମଗାକୁ ବିରୋଧ କରିବାରୁ ମାଡ
19/10/2019 at 5:49 PM

ଉଦଳା ୧୯।୧୦ – ସିଏଲସି ପାଇଁ ଟଙ୍କା ମଗାଗଲା, ଏହାକୁ ବିରୋଧ କରିବାରୁ ଛାତ୍ରକୁ ମରାଗଲା ମାଡ । ଅତି ନିର୍ଦ୍ଦୟ ଭାବେ କଲେଜ ପ୍ରିନିସିପାଲ ଓ ଆକାଉଣ୍ଟାଣ୍ଟ ପ୍ରିନିସିପାଲଙ୍କ ଚାମ୍ବରରେ ମାଡ ମାରିଲେ । ଘଟଣାଟି ହେଉଛି ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର । କଲେଜର ପ୍ରିନସିପାଲ ମାଡ ମାରିବାର ଭିଜୁଆଲ ସାମ୍ନାକୁ ଆସିବା ପରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେଥିବା ଅଧୀନ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଅସନ୍ତୋଷକୁ ନେଇ ଚର୍ଚ୍ଚା । କଲେଜର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଦେବାଶିଷ ମହାନ୍ତି ନିଜ ସିଏଲସି ନେବାକୁ ଆସିଥିବା ବେଳେ ପ୍ରିନସିପାଲ ଓ ଆକାଉଣ୍ଟାଣ୍ଟ ତାଙ୍କୁ ପଇସା ମାଗି ମାଡ ମାରିବା ସହ ତାଙ୍କ ମୋବାଇଲ ମଧ୍ୟ ଭାଙ୍ଗି ଦେଇଥିଲେ । ଯାହାର ସିସିଟିଭି ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଥିଲା , ପ୍ରିନସିପାଲଙ୍କୁ ବଦଳି କରିବାକୁ ଦାବି କରି ଛାତ୍ର ଛାତ୍ରୀ ଆନ୍ଦୋଳନକୁ କରିଥିଲେ । ପ୍ରିନସିପାଲଙ୍କ ବଦଳି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଛାତ୍ର ଛାତ୍ରୀ ।

ଘଟଣା ଅନୁଯାୟୀ ଦେବାଶିଷ ସିଏଲ୍ ସି ନେବାକୁ କଲେଜକୁ ଆସିଥିଲେ । ପୂର୍ବରୁ ସିଏଲସି ବାବଦକୁ ତାଙ୍କୁ ୫ ହଜାର ଟଙ୍କା ମଗା ଯାଇଥିବା ବେଳେ ପୁଣି ୭ ହଜାର ୫୦୦ଟଙ୍କା ମଗାଯାଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ଏହାକୁ ବିରୋଧ କରିବା ପରେ ରାଗି ଯାଇଥିଲେ କଲେଜର ପ୍ରିନ୍ସିପାଲ ମନୋଜ ସାହୁ । ପ୍ରିନ୍ସିପାଲଙ୍କ ଚାମ୍ବର ଭିତରେ ସିଏଲସିକୁ ନେଇ ଆଲୋଚନା ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଆକାଉଣ୍ଟାଣ୍ଟ ଶଶିଭୂଷଣ ମିଶ୍ର ଦେବାଶିଷଙ୍କୁ ପେଲା ଠେଲା କରିଥିଲେ । ଆଉ ଏହା ପରେ ଆରମ୍ଭ ହୋଇ ଯାଇଥିଲା ଦବଙ୍ଗଗିରି । କିନ୍ତୁ ଘଟଣା ନେଇ ପ୍ରିନସିପାଲଙ୍କୁ ପଚାରିବାରୁ ସେ କିଛି କରି ନଥିବା କହିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ସାତ ଦିନ ମଧ୍ୟରେ ପ୍ରିନସିପାଲଙ୍କ ବଦଳି ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇଇବେ ବୋଲି ଛାତ୍ର ଛାତ୍ରୀ ଚେତାବନୀ ଦେଇଛନ୍ତି ।