ନୂଆଦିଲ୍ଲୀ ୧୩।୦୬: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ବୈଠକ କରି ମହାମାରୀ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କରୋନାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଦିଲ୍ଲୀ ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହା, ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, ସ୍ଵାସ୍ଥ୍ୟ ସଚିବ, ଆଇସିଏମଆରର ଡିଜି ସାମିଲ ଥିଲେ।
ନୀତି ଆୟୋଗର ସଦସ୍ୟ ତଥା ଏମପାଓ୍ଵର୍ଡ ଗ୍ରୁପ ଅଫ ମେଡିକାଲ ଏମରଜେନ୍ସିଂ ମ୍ୟାନେଜମେଣ୍ଟ ପ୍ଲାନର ସଂଯୋଜକ ଡ. ବିନୋଦ ପଲ ବୈଠକରେ ଦେଶରେ କରୋନାର ସାଂପ୍ରତିକ ସ୍ଥିତି ଏବଂ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ କୁହାଯାଇଛି ଯେ, ଦେଶରେ କରୋନାର ମୋଟ୍ ମାମଲା ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ୫ଟି ରାଜ୍ୟରୁ। ବଡ ସହରରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୈଠକରେ ଏହା ଉପରେ ଜୋର ଦିଆଯାଇଛି ଯେ, ଟେଷ୍ଟିଂ ଓ ଶଯ୍ୟା ସଂଖ୍ୟା ବଢାଯାଉ। ଏହା ସହିତ ସ୍ଵାସ୍ଥ୍ୟ ସେବାକୁ ମଧ୍ୟ ଆହୁରି ଉନ୍ନତ କରାଯାଉ ଯଦ୍ଵାରା ପ୍ରତିଦିନ ବଢୁଥିବା କରୋନା ସଂକ୍ରମଣର ମୁକାବିଲା କରାଯାଇ ପାରିବ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦୁଇ ମାସର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହା ସହିତ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କୁ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ସହ ଆଲୋଚନା କରି ଜରୁରୀକାଳୀନ ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୌସୁମିର ପ୍ରାରମ୍ଭକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କହିଛନ୍ତି।
ଦିଲ୍ଲୀ ଉପରେ ଖାସ୍ ଆଲୋଚନା
ବୈଠକରେ ଦିଲ୍ଲୀରେ କରୋନାରେ ବିଗୁଡୁଥିବା ସ୍ଥିତିକୁ ନେଇ ମଧ୍ୟ ଆଲୋଚନା କରାଯାଇଛି। ଆଗାମୀ ଦୁଇ ମାସରେ ସ୍ଥିତି କଣ ହେବ ତାକୁ ନେଇ ମଧ୍ୟ ବିଚାର ବିମର୍ଶ କରାଯାଇଛି। ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ, ଗୃହ ମନ୍ତ୍ରୀ ଓ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଦିଲ୍ଲୀର ଉପ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ସରକାର ତଥା ଏମସିଡିର ବରିଷ୍ଠ ଅଧିକାରୀଙ୍କ ସହିତ ଜରୁରୀକାଳୀନ ବୈଠକ କରିବା ଉଚିତ୍। ରାଜଧାନୀରେ କରୋନାର ବଢୁଥିବା ସଂକ୍ରମଣକୁ ରୋକିବା ଦିଗରେ ଠୋସ୍ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।
ବୈଠକରେ କରୋନାର ମୁକାବିଲା ପାଇଁ ଅନେକ ରାଜ୍ୟ, ଜିଲ୍ଲା ଓ ସହର ଦ୍ଵାରା କରାଯାଇଥିବା ଉପାୟର ମଧ୍ୟ ପ୍ରଶଂସା କରାଯାଇଛି। ଏଥିରୁ ଅନ୍ୟ ସହର, ଜିଲ୍ଲା ଓ ରାଜ୍ୟମାନଙ୍କୁ ପ୍ରେରଣା ନେବା ଉଚିତ୍ ବୋଲି ବୈଠକରେ କୁହାଯାଇଛି।