କରୋନା ମହାମାରୀ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ବିଦେଶ ଯାତ୍ରା, ମାର୍ଚ୍ଚରେ ଗସ୍ତ କରିବେ ଏହି ଦେଶ

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪।୦୨: କରୋନା ମହାମାରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ବିଦେଶ ଗସ୍ତ କରିବେ। ଚଳିତ ବର୍ଷ ମାର୍ଚ୍ଚର ଶେଷ ଆଡକୁ ପ୍ରଧାନମନ୍ତ୍ରୀ ବାଂଲାଦେଶ ଗସ୍ତରେ ଯାଇ ପାରନ୍ତି। ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ  ଯାତ୍ରାକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକସ୍ତରରେ ଆଲୋଚନା ଜାରି ରହିଛି। ଯଦି ପ୍ରଧାନମନ୍ତ୍ରୀ ବାଂଲାଦେଶ ଗସ୍ତ କରନ୍ତି ତେବେ ଏହା ତାଙ୍କର କରୋନା ମହାମାରୀ ମଧ୍ୟରେ ପ୍ରଥମ ବିଦେଶ ଯାତ୍ରା ହେବ।

ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୨୬ ଓ ୨୭ ମଧ୍ୟରେ ଢାକା ଗସ୍ତ କରି ପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପୂର୍ବରୁ ଗୃହ ସଚିବ ଅଜୟ ଭଲ୍ଲା ଢାକା ଯାଇ ନିଜ ସମକକ୍ଷ ମୁସ୍ତଫା କମଲାଉଦ୍ଦୀନଙ୍କ ସହ ଆଲୋଚନା କରିବେ। ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମାର୍ଚ୍ଚ ୪ରେ ବାଂଲାଦେଶ ଗସ୍ତ କରିବେ। ଏହି ସମୟରେ ସେ ନିଜର ପ୍ରତିପକ୍ଷ ଏକେ ଅବ୍ଦୁଲଙ୍କୁ ସାକ୍ଷାତ କରିବେ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା(ଆଇଏଏଫ)ର ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆ ତିନି ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି। ବାୟୁସେନା ମୁଖ୍ୟ ଭଦୋରିଆ ୧୯୭୧ ଯୁଦ୍ଧରେ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। କରୋନା ସଙ୍କଟ କାରଣରୁ ୨୦୨୦ ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। କରୋନା ସମୟରେ ପ୍ରଧାନମନ୍ତ୍ରୀ କୌଣସି ବିଦେଶ ଗସ୍ତ କରିନଥିଲେ। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଦ୍ଵିପାକ୍ଷିକ ଓ ବହୁପକ୍ଷୀୟ  ବୈଠକରେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.