ପ୍ରଧାନମନ୍ତ୍ରୀ ମୋଦିଙ୍କ ୪୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
26/08/2018 at 5:17 AM

ନୂଆଦିଲ୍ଲୀ ୨୬/୮ : ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୪୭ତମ ସଂସ୍କରଣରେ ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କ ସହିତ ମନର କଥା ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେରଳ ବନ୍ୟାରେ ପ୍ରଭାବିତ ଲୋକମାନଙ୍କ ସହାୟତା ପାଇଁ ପୂରା ଦେଶ ଛିଡା ହୋଇଛି ବୋଲି କହିଛନ୍ତି ମୋଦି । ବନ୍ୟା ବିପନ୍ନଙ୍କ ପୁନଃନିର୍ମାଣ ଓ ଥଇଥାନ କାମରେ ସେନା ସହିତ ବାକି ସଂଗଠନର ମହତ୍ବପୂର୍ଣ୍ଣ ଭୂମିକାକୁ ମୋଦି ପ୍ରଶଂସା କରିଛନ୍ତି। ମହିଳା ସଶକ୍ତୀକରଣ ପାଇଁ ତାଙ୍କର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି। ଟ୍ରିପଲ ତଲାକ ପ୍ରସଙ୍ଗରେ ମୋଦି କହିଛନ୍ତି ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଛି। ଏବେ ରାଜ୍ୟସଭାରେ ପାରିତ ହେବାକୁ ଅଛି। ମୁସଲିମ୍ ମହିଳାଙ୍କୁ ନ୍ୟାୟ ଦେବାପାଇଁ ପୂରାଦେଶ ତାଙ୍କ ପଛରେ ରହିଛି ବୋଲି ମୋଦି କହିଛନ୍ତି । କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି ମୋଦି। ଦେଶରେ ଏକ ସ୍ବତନ୍ତ୍ର ଓ ସକାରାତ୍ମକ ରାଜନୈତିକ ସଂସ୍କୃତିର ପ୍ରବର୍ତ୍ତକ ବାଜପେୟୀ ଥିଲେ ବୋଲି ମୋଦି କହିଛନ୍ତି। ସଂସଦରେ ମୌସୁମୀ ଅଧିବେଶନ ଫଳପ୍ରଦ ପାଇଁ ସବୁ ସାଂସଦମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଏସୀୟ କ୍ରୀଡାରେ ପଦକ ଜିତି ଭାରତକୁ ଗୌରବାନ୍ବିତ କରିଥିବା ସବୁ କ୍ରୀଡାବିତଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି। ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି।