ସେପ୍ଟେମ୍ବର ୧୫ରେ ସଂସଦ ଟିଭି ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଧର୍ମ ଉପରେ ଶୋ କରିବେ କଂଗ୍ରେସ ନେତା କର୍ଣ୍ଣ ସିଂହ

Published By : Prameya-News7 Bureau | September 10, 2021 IST

ନୂଆଦିଲ୍ଲୀ ୧୦।୦୯: ସଂସଦର ଦୁଇ ଟିଭି ଲୋକସଭା ଏବଂ ରାଜ୍ୟସଭାକୁ ମିଶ୍ରଣ କରି ପ୍ରସ୍ତୁତ ସଂସଦ ଟିଭିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ରେ ଶୁଭାରମ୍ଭ କରିବେ। ସୂତ୍ର ଅନୁଯାୟୀ, ଏହି ନୂତନ ଚ୍ୟାନେଲରେ ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ, ଅର୍ଥଶାସ୍ତ୍ରୀ ବିବେକ ଦବରୟ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଓକିଲ ହେମନ୍ତ ବାତ୍ରା ଭିନ୍ନ ଭିନ୍ନ ଶୋର ଉପସ୍ଥାପନା କରିବେ। ସଂସଦ ଟିଭିରେ ଦେଶ-ବିଦେଶର ଦର୍ଶକଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦେଶର ସଂସ୍ଥା ସଂପର୍କିତ ବିଷୟ ଉପରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ବିଷୟ ବସ୍ତୁ ପ୍ରସାରଣ କରାଯିବ।

ଯେତେବେଳେ ସଂସଦ ଅଧିବେଶନ ଆରମ୍ଭ ହେବ ସେହି ସମୟରେ ସଂସଦ ଟିଭିର ଦୁଇଟି ଚ୍ୟାନେଲରେ ଲୋକସଭା ଏବଂ ରାଜ୍ୟସଭାର ଗୃହକାର୍ଯ୍ୟର ପ୍ରସାରଣ କରାଯିବ। ଏହି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବ।

କଂଗ୍ରେସର ବରିଷ୍ଠ ନେତା କର୍ଣ୍ଣ ସିଂହ ଧର୍ମ ବିଷୟ ବସ୍ତୁ ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ବେଳେ ବିବେକ ଦେବରୟ ଇତିହାସ ଏବଂ ଅମିତାଭ କାନ୍ତ ଭାରତର ପରିବର୍ତ୍ତନ ବିଷୟରେ କାର୍ଯ୍ୟକ୍ରମ ସଂଚାଳିତ କରିବେ। ହେମନ୍ତ ବାତ୍ରା ଆଇନ ସଂପର୍କିତ  ବିଷୟରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।  ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ଅର୍ଥନୀତି ଏବଂ ଏଣ୍ଡୋକ୍ରାଇନୋଲୋଜିର ଜଣାଶୁଣା ଚିକିତ୍ସିକ ଅମ୍ବିରଶ ନିଥାୟୀ ସ୍ଵାସ୍ଥ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ।

ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ବୟନ ମନ୍ତ୍ରଣାଳୟର ପୂର୍ବତନ ସଚିବ ରବି କପୁର ସଂସଦ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଟନ୍ତି। ଅନ୍ୟପଟେ ଲୋକସଭା ସଚିବାଳୟର ଯୁଗ୍ମ ସଚିବ ମନୋଜ ଆରୋରା ଏହାର ବିଶେଷ କାର୍ଯ୍ୟ ଅଧିକାରୀ(ଓଏସଡି) ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.