ପରୀକ୍ଷା ନୁହେଁ ଜୀବନର ସବୁକିଛି-ନରେନ୍ଦ୍ର ମୋଦି
20/01/2020 at 8:21 PM

ନୂଆଦିଲ୍ଲୀ୨୦/୧: ସ୍କୁଲ ପରୀକ୍ଷା ଜୀବନର ସବୁକିଛି ନୁହେଁ । କାରଣ ଜୀବନରେ ବହୁ ବଡ଼ ବଡ଼ ପରୀକ୍ଷା ଆସିବ । କେବଳ ନମ୍ବର ରଖିବା ଜୀବନର ଲକ୍ଷ୍ୟ ନ ହେଉଛି । ଆଗକୁ ପରୀକ୍ଷା ସିଜନ୍ ଆସୁଥିବା ବେଳେ ସାରା ଦେଶର ପିଲାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଟିପ୍ସ ଦେଇଛନ୍ତି । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ସାରା ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଉପଦେଶ ଦେବା ସହିତ ପିଲାମାନଙ୍କୁ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି ।
ନମ୍ବର ନୁହେଁ ମାନଦଣ୍ଡ। ପରୀକ୍ଷା ନୁହେଁ ଜୀବନର ସବୁକିଛି। ପରୀକ୍ଷା ସିଜିନ ଆରମ୍ଭ ହେବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ଖଚାଖଚ୍ ତାଲକୋଟରା ଷ୍ଟାଡିୟମ । ସାରା ଦେଶରୁ ବଛା ହୋଇ ଆସିଥିବା ୨୦୦୦ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ଟିପ୍ସ । ଜୀବନରେ କିଛି ବନିବା ପାଇଁ ନୁହେଁ ବରଂ କିଛି କରିବା ପାଇଁ ସ୍ବପ୍ନ ଦେଖିଲେ ହିଁ ସଫଳତା ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ କହିଛନ୍ତି ।
ଟେକ୍ନୋଲୋଜିର ବ୍ୟବହାର ନିଜ ହିତରେ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି । ସ୍ମାର୍ଟ ଫୋନ୍ ଆମର ଦିନର କେତେ ସମୟ ଚୋରି କରୁଛି ସେକଥା ମଧ୍ୟ ଚେତାଇ ଦେଇଥିଲେ ପ୍ରଧାନମନ୍ତ୍ରୀ। ସେହିପରି ବିଫଳତାରୁ ଶିଖିବାକୁ ପରମର୍ଶ ଦେଇଥିଲେ। ଏଥିପାଇଁ ଚନ୍ଦ୍ରଯାନର ଉଦାହରଣ ଦେଇଥିଲେ।
ଭାରତୀୟ ନାଗରିକ ଭାବେ ସମସ୍ତେ କର୍ତ୍ତବ୍ୟ ପାଳନ କରିବା ସହିତ ଲାଇନ୍ରେ ରହିବା, ବିଦ୍ୟୁତ୍ର କମ୍ ବ୍ୟବହାର କରିବା, ଟିକେଟ୍ ନେଇ ଯାତାୟତ କରିବା ପାଇଁ ମୋଦି ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଟିଭି ଏବଂ ଇଣ୍ଟରନେଟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଦେଖିଥିଲେ। କିଛି ସ୍କୁଲରେ ମଧ୍ୟ ପିଲାଙ୍କ ପାଇଁ ଏହାକୁ ଦେଖିବାର ଆୟୋଜନ କରାଯାଇଥିଲା। ନିଜକୁ ପିଲାମାନଙ୍କର ସାଙ୍ଗ ବୋଲି କହିବା ସହିତ ଆଗକୁ ମଧ୍ୟ ସେମାନଙ୍କର ସହିତ ଯୋଡ଼ି ହୋଇ ରହିବେ ବୋଲି କହିଛନ୍ତି। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଗତ ୩ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ।ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରଧାନମନ୍ତ୍ରୀ ।ପିଲାମାନଙ୍କ ଦ୍ବାରା କରାଯାଇଥିବା ପେଣ୍ଟିଂ ପ୍ରଦର୍ଶନୀକୁ ମୋଦି ବୁଲି ଦେଖିଥିଲେ ।