ଆଜି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରେ କଣ ରହିବ ? ଏହି ୫ଟି କଥାକୁ ନେଇ ଚର୍ଚ୍ଚା ଜୋର୍

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨।୦୫:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୮ଟାରେ ପୁଣି ଥରେ ଦେଶକୁ ସମ୍ବୋଧିତ କରିବେ। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗତକାଲି  ଆଲୋଚନା ପରେ ଆଜି ପ୍ରଧାନମନ୍ତ୍ରୀ ସରକାରଙ୍କ ପକ୍ଷରୁ କରୋନା ପ୍ରତିରୋଧ ଲାଗି ଉଠାଯାଉଥିବା ପଦକ୍ଷେପ  ବିଷୟରେ ସୂଚନା ଦେବେ। ପ୍ରଧାନମନ୍ତ୍ରୀ ଆଜି କଣ ଘୋଷଣା କରିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ସର୍ବାଧିକ କଳ୍ପନା ଜଳ୍ପନା ଲକ୍‌ଡାଉନ୍‌ ଅବଧି କରିବା ନେଇ ହେଉଛି। ସାମାଜିକ ଗଣମାଧ୍ୟମରେ ଲକ୍‌ଡାଉନ୍ ୪ ଶୀର୍ଷରେ ଟ୍ରେଣ୍ଡ କରୁଛି। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକରେ ସଙ୍କେତ ଦେଇ ସାରିଛନ୍ତି ଯେ, ଲକ୍‌ଡାଉନ୍‌ରୁ ବାହାରିବାକୁ ପଡିବ। କିଛି ରାଜ୍ୟ ଲକ୍‌ଡାଉନ୍‌ ବୃଦ୍ଧି କରିବା ପକ୍ଷରେ ଥିବା ବେଳେ ଆଉ କିଛି ରାଜ୍ୟ କଣ୍ଟେନମେଣ୍ଟ ଅଞ୍ଚଳ ସ୍ଥିର କରିବାକୁ ସେମାନଙ୍କୁ ଅଧିକାର ଦିଆଯାଉ ବୋଲି କହିଛନ୍ତି। କିନ୍ତୁ ପାଞ୍ଚଟି ବିଷୟ ଏମିତି ରହିଛି, ଯାହା ଉପରେ ଆଜି ପ୍ରଧାନମନ୍ତ୍ରୀ ନିଜର ଭାଷଣରେ ଆଲୋକପାତ କରି ପାରନ୍ତି।

ଶ୍ରମିକଙ୍କ ପାଇଁ ହୋଇପାରେ ବଡ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମ ଜୀବୀଙ୍କୁ ନେଇ ଚିନ୍ତା ପ୍ରକଟ୍ କରିଛନ୍ତି। ସେ ନିଜର ସମ୍ବୋଧନରେ ଶ୍ରମ ଜୀବୀଙ୍କ ବିଷୟରେ ଆଲୋଚନା କରି କିଛି ବଡ ଘୋଷଣା କରି ପାରନ୍ତି। ଦେଶରେ ଲକ୍‌ଡାଉନ୍‌ ପରେ ବଡ ସଂଖ୍ୟାରେ ଶ୍ରମିକ ଚାଲି ଚାଲି ନିଜ ଘର ଅଭିମୁଖେ ପଳାୟନ କରୁଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଏଥିରେ ବହୁତ ଦୁଃଖ ପ୍ରକଟ୍ କରିବା ସହିତ ମର୍ମାହତ ହୋଇଛନ୍ତି।

{"id":268709,"sizeSlug":"large"}

କେତେ ଦୂର ହଟିବ ଲକ୍‌ଡାଉନ୍ ?

ଲକ୍‌ଡାଉନ୍‌ ହଟିବ ନା ନାହିଁ ଏହା ସବୁଠୁ ବଡ ପ୍ରଶ୍ନ। ସବୁଠୁ ଅଧିକ ଚର୍ଚ୍ଚା ଏହାକୁ ନେଇ ମଧ୍ୟ ହେଉଛି। ମେ ୧୭ରେ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଶେଷ ହେଉଛି। ଅନ୍ୟପଟେ ରେଲଓ୍ଵେ କିଛି ବଛା ବଛା ରୁଟ୍‌ରେ ରାଜଧାନୀ ନୂଆଦିଲ୍ଲୀରୁ ୧୫ ଯୋଡା ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବୈଠକରେ କହିଛନ୍ତି, ତୃତୀୟ ପର୍ଯ୍ୟାୟରେ ଉଠାଯାଇଥିବା ପଦକ୍ଷେପ ଚତୁର୍ଥ ପର୍ଯ୍ୟାୟରେ ଆବଶ୍ୟକ ପଡିବ ନାହିଁ। ଏହାର ସମ୍ଭାବନା ଅଧିକ ରହିଛି ଯେ, ଲକ୍‌ଡାଉନ୍‌ ତ ବଢିବ, କିନ୍ତୁ ଏଥର ଆହୁରି କୋହଳ ଦିଆଯାଇପାରେ। କରୋନା ସଂକ୍ରମିତ ଅଞ୍ଚଳକୁ ଛାଡି ଦେଲେ ବାକି ଅଞ୍ଚଳରେ ଜନଜୀବନ ସ୍ଵାଭାବିକ କରିବା ଦିଗରେ ପଦକ୍ଷେପ ନିଆ ଯାଇପାରେ।

କିଛି ରିଲିଫ ପ୍ୟାକେଜ୍‌ ଦେଇ ପାରନ୍ତି ମୋଦୀ

ଦେଢ ମାସରୁ ଅଧିକ ସମୟ ଧରି ଚାଲିଥିବା ଲକ୍‌ଡାଉନ୍‌ ଦେଶର ଅର୍ଥ ବ୍ୟବସ୍ଥାକୁ ଜୋରଦାର ଝଟକା ଦେଇଛି। ଉତ୍ପାଦନ ଠପ୍‌ ରହିଛି, ଫ୍ୟାକ୍ଟ୍ରି ବନ୍ଦ ପଡିଥିଲା। ସବୁଠୁ ଅଧିକ ପ୍ରଭାବ ଛୋଟ ଉଦ୍ୟୋଗ ଉପରେ ପଡିଛି। କୃଷକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି। ଦିନ ମଜୁରିଆଙ୍କ ଲାଗି ଭରଣପୋଷଣ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିଛି। ତେଣୁ ଆଜିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ରିଲିଫ ପ୍ୟାକେଜ୍‌ ଘୋଷଣା କରି ପାରନ୍ତି।

{"id":268710,"sizeSlug":"large"}

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରି ପାରନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଙ୍କଟତ ମୁକାବିଲା କରୁଥିବା ଭାରତୀୟଙ୍କୁ ପ୍ରଶଂସା କରି ପାରନ୍ତି। ଏହା ସହିତ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରି ପାରନ୍ତି। କରୋନା ଉପରେ ପ୍ରଧାନମନ୍ତ୍ରୀ ଯେତେ ଥର ସମ୍ବୋଧନ ଦେଇଛନ୍ତି ସବୁଥିରେ ସେ ଡାକ୍ତର, ନର୍ସ ଓ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କୁ ସଲାମ କରିଛନ୍ତି।

ଏବେ ରାଜ୍ୟ ନେଇ ପାରନ୍ତି ନେତୃତ୍ଵ

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସ୍ପଷ୍ଟ କରିଛନ୍ତି, ଲକ୍‌ଡାଉନ୍‌ ସମ୍ବନ୍ଧରେ ଏବେ ରାଜ୍ୟ ନେତୃତ୍ଵ‌ କରନ୍ତୁ। ଏହାକୁ ନେଇ ଚର୍ଚ୍ଚା ହେଉଛି , ରାଜ୍ୟ ଉପରେ ଏବେ ନିଷ୍ପତ୍ତି ଛାଡି ଦିଆଯିବ ଯେ, ସେମାନେ କେଉଁ ଭଳି ଲକ୍‌ଡାଉନ୍‌ ହଟାଉଛନ୍ତି। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ସେମାନେ ମେ ୧୫ ପୂର୍ବରୁ ରାଜ୍ୟରେ ଚତୁର୍ଥ ଲକ୍‌ଡାଉନ୍ ସମ୍ବନ୍ଧରେ ନିଜର ରଣନୀତି ପଠାନ୍ତୁ। ନିଜ ରାଜ୍ୟରେ କେମିତି ଲକ୍‌ଡାଉନ୍‌ ହଟାଇବାକୁ ଚାହୁଁଛନ୍ତି ତାର ବ୍ଲୁ ପ୍ରିଣ୍ଟ କେନ୍ଦ୍ର ନିକଟକୁ ପଠାଇବାକୁ କହିଛନ୍ତି।

ଆଗକୁ କଣ ହୋଇପାରେ ?

ଯାହା ବି ଆଜି ନିଷ୍ପତ୍ତି ନିଆଯିବ ସେଥିରେ ଲୋକଙ୍କୁ ରିହାତି ଦିଆଯାଇପାରେ। ମାତ୍ର କୋଭିଡ୍-୧୯ ହଟ୍‌ସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନ୍‌ରେ ପରିବର୍ତ୍ତନ ହେବାର ଆଶା ଦେଖାଯାଉନାହିଁ। ଅନ୍ୟ କ୍ଷେତ୍ରରେ ଆର୍ଥିକ ଗତିବିଧି ସୂଚାରୁ ରୂପେ ଚାଲିବା ପରିପ୍ରେକ୍ଷୀରେ ଲକ୍‌ଡାଉନ୍‌ରେ ଆହୁରି କୋହଳ କରାଯାଇପାରେ। କିଛି ସାମାନ୍ୟ ଗାଇଡ୍‌ ଲାଇନ୍‌କୁ ଛାଡି ରାଜ୍ୟକୁ ନିଜର ପରିସ୍ଥିତି ହିସାବରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.