ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର: ବରବରା ରାଓ ଗିରଫ

Published By : Prameya-News7 Bureau | August 28, 2018 IST

ହାଇଦ୍ରାବାଦ୨୮|୮: ମୋଦି ହତ୍ୟାଷଡଯନ୍ତ୍ର ମାମଲାରେ ବାମପନ୍ଥୀ ବିଚାରଧାରାର ସମର୍ଥକ ତଥା ଲେଖକ ପି. ବରବରା ରାଓ ଗିରଫ ହୋଇଛନ୍ତି । ପୁନେ ପୋଲିସ ଆଜି ବରବରା ରାଓଙ୍କୁ ତାଙ୍କ ହାଇଦ୍ରାବାଦ ଘରୁ ଗିରଫ କରିଛି । ୭୮ ବର୍ଷୀୟ ବରବରା ରାଓଙ୍କ ଗିରଫ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ହାଇଦ୍ରାବାଦର ଗାନ୍ଧିନଗର ଘର ସମେତ ୭ ଜଣଙ୍କ ଘରେ ଆଠ ଘଣ୍ଟାର ଚଢାଉ ପରେ ବରବରା ରାଓଙ୍କୁ ଉଠାଇନେଇଛି ପୋଲିସ । ବରବରା ରାଓଙ୍କ ଘନିଷ୍ଠ ଦୁଇଜଣ ସାମ୍ବାଦିକ ଓ ଜଣେ ପ୍ରାଧ୍ୟାପକଙ୍କ ଘରେ ବି ଚଢାଉ କରିଥିଲା ପୋଲିସ। ତେବେ ସେମାନଙ୍କ ମଧ୍ୟରୁ ସାମ୍ବାଦିକ ଟେକୁଲୁ କାରାନ୍ଥିଙ୍କୁ ପୋଲିସ ଗିରଫ କରିଛି । କାରାନ୍ଥିଙ୍କ ଘରୁ ଜବତ ଏକ ଲ୍ୟାପଟପ୍ ଏବଂ କିଛି ଲିଫଲେଟ୍‌ରୁ ତାଙ୍କର ନିଷିଦ୍ଧ ଘୋଷିତ ମାଓ ଇଷ୍ଟି ପାର୍ଟି ସହ ସଂପର୍କ ଥିବା ସନ୍ଦେହ କରି ତାଙ୍କୁ ଧରି ନେଇଛି ପୋଲିସ । ଆଜି କେବଳ ହାଇଦ୍ରାବାଦ ନୁହେଁ ,ମୋଦି ହତ୍ୟା ଉଦ୍ୟମ ଷଡଯନ୍ତ୍ର ମାମଲାରେ ୫ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଥିଲା । ଏହି ଘଟଣାରେ ଜୁନ୍ ୬ ତାରିଖରେ ଦିଲ୍ଲୀ, ମୁମ୍ବାଇ ଓ ନାଗପୁରରୁ ୫ ଜଣ ପ୍ରମୂଖ ମାଓବାଦି ସମର୍ଥକଙ୍କୁ ଗିରଫ କରିସାରିଛି ପୋଲିସ। ତେବେ ହାଇଦ୍ରାବାଦରେ ବରବରା ରାଓଙ୍କୁ ଗିରଫ ପରେ ପ୍ରଥମେ ସିକନ୍ଦରାବାଦର ଗାନ୍ଧି ହସପିଟାଲ ନିଆଯାଇଥିଲା । ତାପରେ ତାଙ୍କୁ ପୁନେ ନିଆଯାଇଥିବା ଆଶଙ୍କା କରାଯାଉଛି । ଏପଟେ ବିଭିନ୍ନ ସଂଗଠନ ଓ ହାଇଦ୍ରାବାଦର ବହୁ ବୁଦ୍ଧିଜୀବୀ ବରାବରା ରାଓଙ୍କ ଗିରଫକୁ ନିନ୍ଦା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.