୧.୩୨ ଲକ୍ଷ ଲୋକଙ୍କୁ ସଂପତ୍ତି କାର୍ଡ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କେନ୍ଦ୍ରର ନୂତନ ‘ସ୍ଵାମିତ୍ଵ ଯୋଜନା’ ବିଷୟରେ

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯।୧୦: ଗ୍ରାମୀଣ ଭାରତକୁ ବଦଳାଇବା ଏବଂ ଲକ୍ଷାଧିକ ଲୋକଙ୍କୁ ସଶକ୍ତ କରିବା ପାଇଁ ଐତିହାସିକ ପଦକ୍ଷେପ ସ୍ଵରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୧ରେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵାମିତ୍ଵ ଯୋଜନାର ଶୁଭାରମ୍ଭ କରିବେ। ଏହାରି ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀ ୧.୩୨ ଲକ୍ଷ ସଂପତ୍ତି ମାଲିକଙ୍କୁ ସଂପତ୍ତି କାର୍ଡ ବିତରଣ କରିବେ।

ଏହି  ଯୋଜନା ଆଧାରରେ ୧.୩୨ ଲକ୍ଷ ସଂପତ୍ତିଧାରୀ ନିଜର ମୋବାଇଲ୍‌ ଫୋନ୍‌ରେ ଆସିଥିବା ଏସଏମଏସ ଲିଙ୍କ୍ ମାଧ୍ୟମରେ ନିଜର ସଂପତ୍ତି କାର୍ଡ ଡାନଉଲୋଡ୍ କରି ପାରିବେ। ଏହା ପରେ ସମ୍ବନ୍ଧିତ ରାଜ୍ୟ ସରକାର ଦ୍ଵାରା ସଂପତ୍ତି କାର୍ଡର ବିତରଣ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ଛଅଟି ରାଜ୍ୟର ୭୬୩ ଗାଁର ଲାଭାର୍ଥୀ ସାମିଲ। ଏଥିରୁ ଉତ୍ତର ପ୍ରଦେଶର ୩୪୬, ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟ ପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ୨ ଗାଁ ସାମିଲ। ମହାରାଷ୍ଟ୍ରକୁ ବାଦ୍‌ ଦେଲେ ବାକି ସବୁ ରାଜ୍ୟର ଲାଭାର୍ଥୀଙ୍କୁ ଗୋଟିଏ ଦିନ ଭିତରେ ସଂପତ୍ତି କାର୍ଡ ମିଳିଯିବ।

ସଂପତ୍ତି କାର୍ଡ ଜରିଆରେ ଗାଁ ଲୋକଙ୍କୁ ଋଣ ନେବା ଏବଂ ଅନ୍ୟ ଆର୍ଥିକ ଲାଭ ପାଇଁ ସଂପତ୍ତିକୁ ବିତ୍ତୀୟ ସଂପତ୍ତି ଭାବେ ଉପଯୋଗ କରିବାର ପଥ ସୁଗମ ହେବ। ଉଦ୍‌ଘାଟନୀ ସମୟରେ ପ୍ରଧାନମନ୍ତ୍ରୀ କିଛି ଲାଭାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଏହି ଯୋଜନାକୁ ଚାରି ବର୍ଷ ୨୦୨୦ରୁ ୨୦୨୪ ମଧ୍ୟରେ ପୂରା ଦେଶରେ ଲାଗୁ କରାଯିବ। ଏଥିରେ ସମ୍ଭବତଃ ଦେଶର ପ୍ରାୟ ୬.୬୨ ଲକ୍ଷ ଗାଁକୁ କଭର କରାଯିବ।

ସଂପତ୍ତି କାର୍ଡକୁ ଲୋନ ନେବା ସମୟରେ ବ୍ୟବହାର କରାଯାଇ ପାରିବ। ଏହା ଗ୍ରାମାଞ୍ଚଳରେ ସଂପତ୍ତିର ରେକର୍ଡ ରଖିବାରେ ବେଶ୍ ସହାୟକ ହେବ। ବର୍ତ୍ତମାନ ଏମିତି କୌଣସି ରେକର୍ଡ ନାହିଁ। ଏପ୍ରିଲ ୨୪ରେ ପ୍ରଧାନମନ୍ତ୍ରୀ ଦ୍ଵାରା ଆରମ୍ଭ ହୋଇଥିବା ସ୍ଵାମିତ୍ଵ ଯୋଜନା ଆଧାରରେ ଏହି କାର୍ଡ ପ୍ରଦାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.