ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ରାଲି, ଅପବିତ୍ର ହୋଇଛି କହି ସେହି ସ୍ଥାନରେ ଗଙ୍ଗାଜଳ ସିଞ୍ଚି ପବିତ୍ର କଲେ ଟିଏମ୍‌ସି ନେତା

Published By : Prameya-News7 Bureau | February 23, 2021 IST

କୋଲକାତା ୨୩/୦୨ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଗଲାଣି । ନିର୍ବାଚନକୁ ନେଇ ଉଭୟ ଦଳର ନେତାମାନେ ମଇଦାନକୁ ଓଲ୍ଲାଇ ସାରିଲେଣି । କିଛି ଦିନ ପୂର୍ବରୁ ହୁଗୁଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ଏବଂ ଟିଏମ୍‌ସିକୁ ଟାର୍ଗେଟ୍‌ କରିଥିଲେ । ତେବେ ଟିଏମସି ନେତାମାନେ ମଧ୍ୟ ଏହାର ଜବାବ ଦେବାକୁ ଯାଇ ମୋଦି ରାଲି କରିଥିବା ସ୍ଥାନକୁ ଗଙ୍ଗାଜଳ ସିଞ୍ଚି ପବିତ୍ର କରିଛନ୍ତି ।

ଏହା ପରେ ଟିଏମ୍‌ସି ନେତାମାନେ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଜନସଭାକୁ ସମ୍ବୋଧିତ କରି ମମତା ବାନାର୍ଜୀଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିଥିଲେ । କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସହିତ ସଉତୁଣୀ ଭଳି ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଟିଏମ୍‌ସି ନେତା ଦିଲ୍ଲୀପ ଯାଦବ ।

ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୨୪ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହିଠାରେ ହିଁ ନିର୍ବାଚନୀ ସଭା କରିବେ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ସଭା କରିଥିଲେ । ତେବେ ଏହାର ଠିକ୍ ପୂର୍ବରୁ ଟିଏମ୍‌ସି ନେତାମାନେ ଉକ୍ତ ସ୍ଥାନକୁ ଗଙ୍ଗାଜଳ ସିଞ୍ଚି ପବିତ୍ର କରିଛନ୍ତି । କେବଳ ସେତିକି ନୁହେଁ ଟିଏମସି ନେତା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିବା ପାଇଁ ଅନେକଗୁଡିଏ ଗଛ କଟାଯାଇଥିଲା । ୩ଟି ହେଲିପ୍ୟାଡ୍‌ ତିଆରି କରିବା ପାଇଁ ପ୍ରାୟ ଶହ ଶହ ଗଛ କଟାଯାଇଛି ।

ଗଛ କଟାଯାଇଥିବା ସ୍ଥାନରେ ବୃକ୍ଷରୋପଣ କରିଯାଇଛି । ତୃଣମୂଳ କଂଗ୍ରେସ କହିଛି ଯେ, ଯେଉଁ ସ୍ଥାନରେ ବିଜେପି ପକ୍ଷରୁ ପରିବେଶକୁ କ୍ଷତି ପହଞ୍ଚାଯାଇଥିଲା ସେଠାରେ ଟିଏମ୍‌ସି ପକ୍ଷରୁ ଶୂନ୍ୟସ୍ଥାନ ପୂରଣ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.