ଓଡ଼ିଶାରେ ୫ଟି ପ୍ରକଳ୍ପର ଉଦଘାଟନ ଏବଂ ଗୋଟିକର ଶିଳାନ୍ୟାସ କରି ଫେରିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 22, 2018 IST

ଭୁବନେଶ୍ବର୨୨|୯: ଝାରସୁଗୁଡ଼ାରୁ ଉଡ଼ିଲା ବିମାନ, ଏବେ ପଶ୍ଚିମ ଓଡ଼ିଶାର ବିକାଶ ହେବେ ତ୍ବରାନ୍ବିତ । ଆଉ ୩ ବର୍ଷରେ ଉତ୍ପାଦନକ୍ଷମ ହେବ ତାଳଚେର ସାର କାରଖାନା । ଓଡ଼ିଶା ଗସ୍ତରେ ଆସି ୫ଟି ପ୍ରକଳ୍ପର ଉଦଘାଟନ ଏବଂ ଗୋଟିକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦର ଉଦଘାଟନ ଏବଂ ସାର କାରଖାନା ପୁନରୁଦ୍ଧାରର ଶିଳାନ୍ୟାସ ବେଳେ ପ୍ରଧାନମନ୍ତ୍ରୀଙ୍କୁ ସାଥ୍ ଦେଇଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ଷମ ହେଲା ରାଜ୍ୟର ଦୁଇ ନମ୍ବର ବିମାନ ବନ୍ଦର । ଝାରସୁଗୁଡ଼ାରୁ ଉଡ଼ିଲା ବିମାନ । ପଶ୍ଚିମ ଓଡ଼ିଶାର ବହୁ ପ୍ରତୀକ୍ଷିତ ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବେସାମରିକ ବିମାନ ଚଳାଚଳମନ୍ତ୍ରୀ ସୁରେଶ ପ୍ରଭୁ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍ ଏବଂ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିମାନ ବନ୍ଦରକୁ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ପୂର୍ବରୁ ରାଜ୍ୟ ସରକାର ଦାବି କରିଥିବା ବେଳେ ନିଜେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ବିମାନ ବନ୍ଦର ଏବେ ରାଜଧାନୀ ଭୁବନେଶ୍ବର, ଛତିଶଗଡ଼ର ରାୟପୁର ଏବଂ ଝାରଖଣ୍ଡର ରାଞ୍ଚି ମଧ୍ୟରେ ବ୍ୟାବସାୟିକ ସଙ୍ଗମସ୍ଥଳ ଭାବେ କାମ କରିବ । ଯାହା ପଶ୍ଚିମ ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୧୩ ହଜାର କୋଟି ଟଙ୍କାରେ ଏହି କାରଖାନାର ପୁନରୁଦ୍ଧାର । କୋଇଲା ବାସ୍ପୀକରଣ ଦ୍ବାରା ଏଠାରୁ ୟୁରିଆ ଉତ୍ପାଦନ ହେବ । ଆଉ ୩୬ ମାସରେ ଅର୍ଥାତ୍ ୩ ବର୍ଷ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କଥା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୨ ସୁଦ୍ଧା ଏହି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହେବ ଏବଂ ଏଠାରୁ ବାର୍ଷିକ ୧.୨୭ ନିୟୂତ ମେଟ୍ରିକ୍ ଟନ୍ ନିମ୍ କୋଟେଡ୍ ୟୁରିଆ ଉତ୍ପାଦନ ହେବ । ତେବେ ମୋଟ ଉତ୍ପାଦନର ୫୦ ପ୍ରତିଶତ ସାର, ଓଡ଼ିଶା ଚାଷୀଙ୍କୁ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିମାନ ବନ୍ଦର ଉଦଘାଟନ ଓ ସାର କାରଖାନା ପୁନରୁଦ୍ଧାରର ଶିଳାନ୍ୟାସ ସହ ସୁନ୍ଦରଗଡ଼ରେ ଏମସିଏଲର ଗର୍ଜନ ବାହାଲ କୋଇଲା ଖଣି, ଏନଟିପିସର ଡୁଲୁଙ୍ଗା ଠାରେ ୨ଟି କୋଇଲା ଖଣି ଏବଂ କୋଇଲା ପରିବହନ ପାଇଁ ହୋଇଥିବା ସରଡେଗା-ଝାରସୁଗୁଡ଼ା ରେଳପଥର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.