ମହିଳାଙ୍କ ସୁରକ୍ଷା ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା, ଜାଣନ୍ତୁ ପୋଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ କହିଲେ କ’ଣ
8/12/2019 at 4:23 PM

ପୁଣେ ୮।୧୨: ପୋଲିସ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକଙ୍କ ସମ୍ମିଳନୀରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଯୋଗଦେଇଥିଲେ। ଏହି ଅବସରରେ ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ବିସ୍ତୃତ ଆଲୋଚନା ହୋଇଥିବା ବେଳେ ମହିଳାଙ୍କ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ ପ୍ରାଥମିକତା ଦେଇଛନ୍ତି। ଦେଶରେ ମହିଳା ସମ୍ପର୍କିତ ଅପରାଧର ନିୟନ୍ତ୍ରଣ ଓ ଦ୍ରୁତ ସମାଧାନ ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଶିର୍ଷ ପୋଲିସ ଅଧିକାରୀମାନେ ଉପୁଜିଥିବା ଆତଙ୍କବାଦ, ନକ୍ସଲ ବାଦ, ଉପକୂଳ ସୁରକ୍ଷା, ସାଇବର ଧମକ ଓ ନିଶା ଆତଙ୍କବାଦ ମୁକାବିଲା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ୨୮ଟି ରାଜ୍ୟ, ୯ କେନ୍ଦ୍ରଶାସିତ ଅଞ୍ଚଳ, ସିଆରପିଏଫ ଓ ଆଇଟିବିପି ପୋଲିସ ଡିଜି ଏବଂ ଆଇଜିମାନେ ଯୋଗଦେଇ ଦେଶରେ ନୂଆ କରି ମୁଣ୍ଡ ଟେକିଥିବା ପ୍ରତ୍ୟେକ ସମସ୍ୟା ସମ୍ପର୍କରେ ସଘନ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣେରେ ପହଞ୍ଚିଥିବା ବେଳେ ପ୍ରତ୍ୟୁଷରେ ସମ୍ମିଳନୀ ସ୍ଥଳରେ ପୋଲିସ ଅଧିକାରୀମାନଙ୍କ ସହ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରେ ରାଜଭବନରୁ ଆସି ପୋଲିସ ଅଧିକାରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।