ବିରୋଧୀ ନୁହେଁ !ପ୍ରଧାନମନ୍ତ୍ରୀ ଓ ଭାରତ ସରକାର କରିବେ ସମସ୍ୟାର ସମାଧାନ, ବୁଝାମଣା କର ଓ ଆଇନ ହଟାଅ: କୃଷକ ନେତା
25/12/2020 at 4:29 PM

ନୂଆଦିଲ୍ଲୀ ୨୫।୧୨: ରାଜଧାନୀ ଦିଲ୍ଲୀକୁ ଚାଷୀମାନେ ଦୀର୍ଘ ୨୨ ଦିନ ହେଲା ଘେରି ରହିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଚାଷୀଙ୍କୁ ନେଇ ଭାବବିହ୍ୱଳ ଭାଷଣ ଦେଉଛନ୍ତି। ଚାଷୀଙ୍କ ଆନ୍ଦୋଳନ ଲାଗି ବିରୋଧୀ ଦଳକୁ ଦୋଷ ଦେଉଛନ୍ତି। ହେଲେ ଚାଷୀଙ୍କ ସହ ସିଧା ଆଲୋଚନାକୁ ଆସୁ ନାହାନ୍ତି। ସମସ୍ୟାର ସମାଧାନ ରାହୁଲ ଗାନ୍ଧି କି ବିରୋଧୀ ଦଳମାନେ କରିବେନି। ନିଜେ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ସମସ୍ୟାର ସମାଧାନ କରିବାକୁ ହେବ। ଏଣୁ ପ୍ରଧାନମନ୍ତ୍ରୀ ନିଜେ ଚାଷୀଙ୍କ ପାଖକୁ ଆସି ବସନ୍ତୁ ଓ କଥାବାର୍ତ୍ତା କରନ୍ତୁ । ଆଇନ ପ୍ରତ୍ୟାହାର ଘୋଷଣା କଲେ ଚାଷୀ ଘରକୁ ଫେରିବେ ବୋଲି ଶୁକ୍ରବାର କହିଛନ୍ତି ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ।
ସରକାର ବାରମ୍ବାର କୃଷି ଆଇନ ଉପରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହୁଛନ୍ତି। ହେଲେ କୌଣସିଠାରେ ଆଇନ ପ୍ରତ୍ୟାହାର ହେବ ବୋଲି କହୁ ନାହାନ୍ତି। ସରକାରଙ୍କ କଥା ଅନୁସାରେ ଆମେବି ଆଲୋଚନା ଲାଗି ପ୍ରସ୍ତୁତ ହେଲେ ଆଇନ ପ୍ରତ୍ୟାହାର ହେବନି ସର୍ତ୍ତ ରଖୁଛନ୍ତି ସରକାର। ଏଣୁ ଆମେ ବି ଦିଲ୍ଲୀ ସୀମାରୁ ହଟିବାର ନାହିଁ ବୋଲି ଟିକୈତ ସଫାସଫା କହିଛନ୍ତି।
ଚାଷୀଙ୍କୁ ବିରୋଧୀମାନେ ଭ୍ରମିତ କରୁଥିବାର ପ୍ରଧାନମନ୍ତ୍ରୀ ବାରମ୍ବାର କହୁଛନ୍ତି। ହେଲେ ଚାଷୀ ମୁର୍ଖ ନୁହନ୍ତି କି ପ୍ରସଙ୍ଗରେ କୌଣସି ରାଜନୈତିକ ଦଳଙ୍କୁ ସାମିଲ କରୁ ନାହାନ୍ତି। ଆଇନ ସରକାର ଆଣିଛନ୍ତି, ବିରୋଧୀ ଦଳମାନେ ନୁହେଁ ଏଣୁ ଚାଷୀ ସରକାରଙ୍କ ସିଧା ମୁକାବିଲା କରୁଛନ୍ତି ବୋଲି କୃଷକନେତାମାନେ କହିଛନ୍ତି। ପ୍ରଧାନମନ୍ତ୍ରୀ କହୁଛନ୍ତି ସହର ସୀମାନ୍ତରେ ଚାଷୀ ବସିଛନ୍ତି, ସମସ୍ତେ ଏକାଠି ବସି ଏହି ସମସ୍ୟାର ସମାଧାନ କରାଯିବ। ହେଲେ ଚାଷୀଙ୍କ ମୁହାଁମୁହିଁ ହେବାକୁ ଡରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଦେଶର ଚାଷୀଙ୍କ ଲାଗି ‘କୃଷକ ସମ୍ମାନ ନିଧି’ ଘୋଷଣା କରିଛନ୍ତି। ୯ କୋଟି ଚାଷୀଙ୍କ ଖାତାକୁ ସରକାର ୧୮ ହଜାର କୋଟି ଟଙ୍କା ହସ୍ତାନ୍ତରଣ କରିଛନ୍ତି। ଏହି ଅବସରରେ ବିରୋଧୀଙ୍କ ଝାଡିବାକୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ। ବିରୋଧୀମାନେ ସଂଶୋଧିତ କୃଷି ଆଇନକୁ ନେଇ ମିଛ ରଟାଉଛନ୍ତି ବୋଲି ମୋଦି କହିଛନ୍ତି। ତେବେ ବିରୋଧୀଙ୍କୁ ଦୋଷ ଦେଇ ସରକାର ଦାୟିତ୍ୱରୁ ଖସିପାରିବେନି ବୋଲି ସଫାସଫା କହିଛନ୍ତି କୃଷକ ନେତା।