ଭରତପୁର ପୋଲିସ ଭ୍ୟାନ୍ ପୋଡି ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 20, 2021 IST

ଚଣ୍ଡିଖୋଲ ୨୦।୫: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତରେ ପୋଲିସ ଭ୍ୟାନ୍ ପୋଡି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭରତପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ତଥା ନିଲମ୍ବିତ ଶିକ୍ଷକ ବସନ୍ତ ରାଜ ସାମଲ ଗିରଫ ହୋଇଛନ୍ତି । ଗତ ମାର୍ଚ୍ଚ ୬ ତାରିଖରେ ଭରତପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ବାଲିଚନ୍ଦ୍ରପୁର ପୋଲିସର ଦୁଇଟି ଭ୍ୟାନକୁ ଉତ୍ତ୍ୟକ୍ତ ଲୋକେ ପୋଡି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ଅଶାନ୍ତ ହୋଇ ପଡିଥିଲା । ସମ୍ପୃକ୍ତ ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ମୋଟ୍ ୨୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ତଥା ଭରତପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ବସନ୍ତ ରାଜ ସାମଲ ଫେରାର ହୋଇ ଯାଇଥିଲା । ସମ୍ପୃକ୍ତ ଘଟଣାରେ ବସନ୍ତ ରାଜ ସାମଲକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକତା ପଦରୁ ନିଲମ୍ବିତ କରିଥିଲେ । ଦୁଇ ମାସ ପରେ ପୋଲିସକୁ ମିଳିଛି ସଫଳତା । ବସନ୍ତ ରାଜ ସାମଲକୁ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ଘଟଣାର ଅଧିକ ତଦନ୍ତ ଚାଲୁ ରହିଥିବା ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ ପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.