ଦୁଃଖ ଦୂର ହୋଇଯିବ କହି କ୍ଷୀରରେ ନିଶା ମିଶାଇ ସ୍ବାମୀ ଓ ସ୍ତ୍ରୀଙ୍କୁ ପିଆଇ ଦେଲା ଭଣ୍ଡବାବା : ଅଚେତ ଅବସ୍ଥାରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରି ଲୁଟିନେଲେ ଗହଣା

Published By : Prameya-News7 Bureau | October 30, 2019 IST

ନୁହଁ ୩୦/୧୦: ନୁହଁ ଜିଲ୍ଲାରେ ସ୍ବାମୀ-ସ୍ତ୍ରୀଙ୍କୁ ବେହୋଶ କରି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ସାମନାକୁ ଆସିଛି। ଅଭିଯୁକ୍ତମାନେ ପ୍ରଥମେ ଗଣଦୁଷ୍କର୍ମ କରିଥିଲେ ତା’ପରେ ଗହଣା ଲୁଟି ଫେରାର ହୋଇଯାଇଥିଲେ। ଏହି ଘଟଣାର ୫ଦିନ ପରେ ମଧ୍ୟ ପୋଲିସ୍ ଅଜଣା ଅଭିଯୁକ୍ତଙ୍କ ଟେର ପାଇପାରିନାହିଁ। ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଖୋଜାଯାଉଛି।

ଘଟଣାଟି ଘଟିଛି ଅକ୍ଟୋବର ୨୪ତାରିଖ ରାତିରେ। ନଗୀନା ଥାନା ଅଞ୍ଚଳରେ ଜଣେ ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ଜଲାଲପୁର ଗାଁର ୨ଜଣ ବ୍ୟକ୍ତି ଫୋନ୍ କରି କହିଥିଲେ ଯେ ଘରେ ଜଣେ ମୈାଲବୀ ଆସିଛନ୍ତି ଏବଂ ଔଷଧ ପିଆଇ ସମସ୍ତ ଦୁଃଖ ଦୂର କରି ଦେଇଥାଆନ୍ତି। ସ୍ବାମୀ-ସ୍ତ୍ରୀ ତାଙ୍କ ପ୍ରଲୋଭନରେ ପଡ଼ି ଅକ୍ଟୋବର ୨୪ତାରିଖ ସନ୍ଧ୍ୟା ୬ଟାରେ ସେହି ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ସେହି ସମୟରେ ମୌଲବୀ କ୍ଷୀରରେ ନିଶା ଔଷଧ ମିଶାଇ ସ୍ବାମୀ ସ୍ତ୍ରୀଙ୍କୁ ବେହୋସ୍ କରି ଦେଇଥିଲେ ଏବଂ ରାତିସାରା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।

କେବଳ ସେତିକି ନୁହେଁ ମହିଳାଙ୍କ ଗହଣା ଲୁଟି ସ୍ବାମୀ ସ୍ତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପେଟ୍ରୋଲ ପମ୍ପ ନିକଟରେ ଛାଡ଼ି ଫେରାର ହୋଇ ଯାଇଥିଲେ। ପରିବାରଲୋକଙ୍କୁ ଏହି ବିଷୟରେ ସୂଚନା ମିଳିବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଭୟଙ୍କୁ ଘରକୁ ଆଣିଥିଲେ। ପୀଡ଼ିତଙ୍କ ପରିବାରଲୋକେ ଘଟଣା ସମ୍ପର୍କରେ ନଗିନା ପୋଲିସକୁ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ୨ଜଣ ଅଭିଯୁକ୍ତ ଏବଂ ୩ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ଅକ୍ଟୋବର ୨୫ତାରିଖରେ ଗଣଦୁଷ୍କର୍ମ ସହ ଅନ୍ୟ ଧାରା ଅନୁସାରେ ମାମଲା ରୁଜୁ କରିଛି।

ପୋଲିସଙ୍କ କହିବାନୁସାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରାଯାଇନାହିଁ। ପୋଲିସ୍ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.