ତନ୍ତ୍ର ସାଧକଙ୍କୁ ଈର୍ଷା ପରାୟଣ ହୋଇ ବଳି ଦେଲେ ତାଙ୍କ ଗୁରୁ!
31/10/2019 at 5:13 PM

ବଲାଙ୍ଗୀର ୩୧/୧୦: ପୁଣି ବଲାଙ୍ଗୀରରେ ହତ୍ୟା । ସପ୍ତାହେ ତଳେ ଜଣେ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ଏବେ ପୁଣି ଜଣେ ତନ୍ତ୍ର ସାଧକଙ୍କୁ ହତ୍ୟା କରି ପରିତ୍ୟକ୍ତ କୂଅରେ ଫିଙ୍ଗାଯାଇଛି । ପୋଲିସ ଛାନଭିନ ଆରମ୍ଭ କରିଥିବା ବେଳେ ବଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ।
କାଳୀ ମନ୍ଦିରରେ ନରବଳି । ତନ୍ତ୍ର ସାଧକଙ୍କୁ କାଳୀଙ୍କ ଆଗରେ ବଳି । ବଲାଙ୍ଗୀର ଜିଲ୍ଲା ସାଲେପଡା ଗାଁରେ ଜଣେ ତନ୍ତ୍ର ସାଧକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ତୁରେକେଲା ବ୍ଲକ ମାଣ୍ଡୋଲ ଗାଁର ଭୂଜବଲ ପରାଭଭୂଏ । ଦୀପାବଳିରେ ସାଲେପଡା ଠାରେ ଥିବା ଶ୍ୟାମାକାଳୀ ମନ୍ଦିରରେ କାଳୀପୂଜାରେ ଯୋଗ ଦେବାକୁ ଆସିଥିଲେ ଭୁଜବଲ ।କିନ୍ତୁ ସେଠାରେ ଭୁଜବଲଙ୍କୁ ତାଙ୍କ ଗୁରୁ ବାବା ଚୌବନ କିଶୋର ମାଝୀ ବଳି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।ବୁଧବାର ଏକ ପରିତ୍ୟକ୍ତ କୂଅରୁ ମିଳିଛି ଭୁଜବଲଙ୍କ ମୃତଦେହ । ଜଣେ ଗାଇ ଚରାଳି ମୃତଦେହ ଦେଖିବା ପରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।
ଭୂଜବଲ ଦୀର୍ଘ ବର୍ଷ ଧରି ଚୌବନ ବାବାଙ୍କ ନିକଟରେ ତନ୍ତ୍ର ସାଧନା ଶିଖୁଥିଲେ । ଆଖପାଖ ଗାଁ ସହ ବିଭିନ୍ନ ଗୁଣିଗାରେଡି ସହ ବିଭିନ୍ନ ପୂଜାପାଠ କରି ଲୋକଙ୍କ ସମସ୍ୟା ଠିକ କରୁଥିଲେ । ତେଣୁ ଚୌବନ ବାବାଙ୍କ ଗୁରୁତ୍ବ କମୁଥିବାରୁ ଏଥିରେ ସେ ଇର୍ଷା ପରାୟଣ ହୋଇ ତାଙ୍କୁ ବଳି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।
ଗତ ବର୍ଷ କାଳୀ ପୂଜାରେଶିଶୁ ବଳି ଦିଆଯାଇଥିଲା ତେବେ ଚଳିତ ଥର କାଳି ପୂଜା ସମୟରେ ଜଣେ କାଳି ସାଧକଙ୍କ ମୃତ୍ୟୁ ଯେ ସାଧାରଣ ମୃତ୍ୟୁ ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଞ୍ଚଳବାସୀ । ତେବେ ତଦନ୍ତ ପରେ ସ୍ପଷ୍ଟ ହେବ ଏହା ବଳି କି ହତ୍ୟା ପଛରେ ଅନ୍ୟ କଣ ରହିଛି କାରଣ ।
