ତେଲ ଓ ଡାଲି ସହ ବଢିଲା ଚା ପତି ଦର, ଖାଉଟି ଅସନ୍ତୋଷ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୬।୧୨: କୋଭିଡ ଲକଡାଉନ୍‌ ପରବର୍ତ୍ତି ପରିସ୍ଥିତି ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କୋଭିଡ ଲକଡାଉନ୍‌ ଲୋକଙ୍କ କର୍ମସଂସ୍ଥାନ ଛଡାଇ ନେଇଥିବା ବେଳେ ଅନିୟନ୍ତ୍ରିତ ବଜାର ଦର ଏବେ ବେଡି ଉପରେ କୋରଡା ହୋଇଛି। କିଛି ସମୟ ପୂର୍ବରୁ ଆଳୁ ଦର ଆକାକଶ ଛୁଇଁଥିବା ବେଳେ ପ୍ରସଙ୍ଗରେ ସରକାର ଦୂରର କଥା ପ୍ରଶାସନ ମଧ୍ୟ ମୁହଁ ଖୋଲିନଥିଲା। ଏବେ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ମହଙ୍ଗା ହେବା ବେଳକୁ ସରକାରଙ୍କ ନୀରବତା ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି। 

ଦିପାବଳୀ ପରେ ଦେଶର ବଜାରରେ ତେଲ ଓ ଡାଲି ମହଙ୍ଗା ହୋଇଯାଇଥିବା ବେଳେ ଏବେ ଚାପତି ମୂଲ୍ୟ ବୃଦ୍ଧି ମଧ୍ୟମବର୍ଗିୟ ପରିବାରଙ୍କୁ ନିଜର ଖର୍ଚ୍ଚକାଟ ଲାଗି ଚିନ୍ତା କରିବାକୁ ବାଧ୍ୟ କରୁଛି। ଖୁଚୁରା ବ୍ୟବସାୟୀଙ୍କ ଅନୁସାରେ ଖାଦ୍ୟସାମଗ୍ରୀ ଦରବୃଦ୍ଧି ଦିପାବଳୀ ପରଠାରୁ ହେବାରେ ଲାଗିଛି। ଏବେ ପରିସ୍ଥିତି ଏପରି ହୋଇଛି ଯେ ତେଲ ଓ ଚା ପତି ଦର ସବୁଦିନ ବଦଳୁଛି।

ଦିପାବଳୀ ପୂର୍ବରୁ ବଜାରରେ ସୋୟାବିନ୍‌ ତେଲ ପ୍ରତି ଲିଟର ୯୦ ଟଙ୍କାରେ ବିକା ଯାଉଥିଲା। ଏବେ ଏହାର ବଜାର ଦର ୧୨୦ ଟଙ୍କାରେ ପହଞ୍ଚିଛି। ସେହିପରି ଲିଟର ପିଛା ୧୩୫ ଟଙ୍କାରେ ବିକ୍ରି ହେଉଥିବା ବାଦାମ ତେଲ ଦର ଏବେ ଦେଢଶହ ଟଙ୍କାରେ ବିକା ହେଉଛି। ୧୦୦ଟଙ୍କା ଲିଟରରେ ବିକ୍ରି ହେଉଥିବା ସୋରିଷ ତେଲ ଦର ଏବେ ୧୩୫ ଟଙ୍କାରେ ବିକା ହେବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ଦିପାବଳୀ ପୂର୍ବ ଓ ଏବେର ବଜାର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ତେବେ ଉତ୍ପାଦନ ହ୍ରାସରେ ବଜାର ଚାହିଦା ଯୋଗୁ ମୂଲ୍ୟ ବୃଦ୍ଧି ହେଉଥିବା ବ୍ୟବସାୟୀ କହୁଛନ୍ତି। ଏହା ମଧ୍ୟ ଏକ ବାସ୍ତବତା। କାରଣ ସାରା ଦେଶର ଚା ଆବଶ୍ୟକତା ଆସାମରୁ ପୁରଣ ହୁଏ। କୋଭିଡ ଲକଡାଉନ ଯୋଗୁ ଉତ୍ପାଦନ ହ୍ରାସ ହୋଇଥିବା ବେଳେ ଅନଲକ୍‌ରେ ମଧ୍ୟ ଚାହିଦା ମୁତାବକ ଉତ୍ପାଦନ ଆରମ୍ଭ ହୋଇପାରିନି।

କେବଳ ଚା ପତି ନୁହେଁ ତୈଳ ବିଜ ଲାଗି ସରକାରଙ୍କ ଆମଦାନୀ ନୀତି ଓ ଫସଲ ହ୍ରାସ ତୈଳ ଦର ବୃଦ୍ଧିର କାରଣ ପାଲଟିଛି। ତେବେ ମୂଲ୍ୟବୃଦ୍ଧିରେ ମଧ୍ୟମବର୍ଗିୟ ପରିବାର ଏବେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଲକଡଉନ କାରଣରୁ ବୃ୍‌ତ୍ତି ହରାଇବା ଅଥବା ମଜୁରି ହ୍ରାସର ଶିକାର ଲୋକେ ଏବେ ବଜାର ମାନ୍ଦାବସ୍ଥା ଯୋଗୁ ଗୁରୁତର ଆର୍ଥିକ ସଂକଟରେ ଫଶିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.