ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର: ଶସ୍ତା ହେଉଛି ସୋରିଷ ତେଲ, ଆଗକୁ ଆହୁରି କମିବ

Published By : Prameya-News7 Bureau | January 14, 2022 IST

ନୂଆଦିଲ୍ଲୀ,୧୪/୦୧: ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର। ନିୟନ୍ତ୍ରଣକୁ ଆସୁଛି ଖାଇବା ତେଲର ମୂଲ୍ୟ । ଖାଇବା ତେଲ ମୂଲ୍ୟରେ ହ୍ରାସ ସାଧାରଣ ଖାଉଟିକୁ ଆଶ୍ୱସ୍ତି ପ୍ରଦାନ କରିଛି । ଦୁଇରୁ ତିନି ମାସ ପୂର୍ବେ ଯେଉଁଠି ସୋରିଷ ତେଲର ଦର ଆକାଶଛୁଆଁ ଥିଲା । ଆଜି ତାହା ୧୭ରୁ ୨୨ ଟଙ୍କା ଶସ୍ତା ହୋଇଛି । ତେବେ ଖାଇବା ତେଲ ଉପରେ ଆମଦାନୀ ଶୁକ୍ଲ ଶୂନ କରିବା ସହ  ଭବିଷ୍ୟତ ପାଇଁ ବ୍ୟବସାୟୀକ ଚୁକ୍ତି ଉପରେ ରୋକ ଲଗାଇବା ପରି ସରକାରଙ୍କ ପଦକ୍ଷେପ ଯୋଗୁଁ ମୂଲ୍ୟ ହ୍ରାସ ହେଉଥିବା କୁହାଯାଉଛି । ବ୍ୟବସାୟୀଙ୍କ ମତ ଖାଇବା ତେଲ ଆଗକୁ ଆହୁରି ଶସ୍ତା ହୋଇପାରେ ।

ଗତ ଏକ ମାସରେ ଯଦି ଖାଇବା ତେଲର ଦର ଉପରେ ନଜର ପକାଇବା ତେବେ ଅକ୍ଟୋବର-ନଭେମ୍ୱରରେ ସୋରିଷ ତେଲ ଲିଟର ପିଛା ୧୮୫ ଟଙ୍କାରେ ବିକ୍ରିରେ ହେଉଥିଲା।  ଏବେ ଏହା ୧୬୩ରୁ ୧୬୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ନଭେମ୍ୱର ମାସରେ ସୋୟାବିନ ତେଲ ଲିଟର ପିଛା ଦର ୧୪୦ ଟଙ୍କା ରହିଥିଲା। ଯାହା ବର୍ତ୍ତମାନ ସମୟରେ ୧୩୦ରୁ ୧୩୨ ଟଙ୍କା ପ୍ରତି ଲିଟର ହୋଇଛି ।

ବଜାର ବିଶେଷଜ୍ଞଙ୍କ ମତ ଖରିଫର ମୁଖ୍ୟ ଫସଲ ସୋୟାବିନର ଉତ୍ପାଦନରେ ହ୍ରାସ ଯୋଗୁଁ ସେପ୍ଟେମ୍ୱରରେ ଏହାର ମୂଲ୍ୟରେ ବୃଦ୍ଧି ଘଟିଥିଲା। ଫଳରେ ସୋୟାବିନ ତଲର ଲିଟର ପିଛା ଦର ୯୦ ଟଙ୍କାରୁ ବଢି ୧୪୦ ଟଙ୍କାରେ ପହଞ୍ଚିଥିଲା । ଖାଇବା ତେଲ ମୂଲ୍ୟରେ ୪ ମାସରେ ଲିଟର ପିଛା ୪୫ ଟଙ୍କା ବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତା ବଢାଇଥିଲା । କିନ୍ତୁ ଏବେ ଏହି ମୂଲ୍ୟରେ ହ୍ରାସ ଆରମ୍ଭ ହୋଇଛି । ଯେଉଁଥି ପାଇଁ ଖାଉଟି ୮ରୁ ୧୦ ଟଙ୍କା ସଞ୍ଚୟ କରିପାରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.