ବିଜେଡି ମହିଳାକର୍ମୀଙ୍କ ହାତରେ ପ୍ରେସ ପ୍ଲାକାର୍ଡ଼ କାହିଁକି ? ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ

Published By : Prameya-News7 Bureau | October 09, 2018 IST

ଭୁବନେଶ୍ୱର ୯/୧୦ : ଏବେ ସମଗ୍ର ରାଜ୍ୟରେ ବିଜେଡିର ପଦଯାତ୍ରା ଓ ମହିଳା ସମାବେଶ ଜୋରସୋରରେ ଚାଲିଛି ବିଜେଡି କର୍ମୀ ଓ ନେତାମାନେ ଏଥିରେ ଏମିତି ମସଗୁଲ ହୋଇଯାଇଛନ୍ତି ଯେ, ତାଙ୍କୁ ଆଉ କିଛି ଦିଶୁନି | ଯୁଆଡେ ଦେଖିଲେ ଶଙ୍ଖ ଆଉ ନବୀନ ପଟ୍ଟନାୟକ ଦେଖାଯାଉଛି | ଧାମନଗରରେ ଗତ ୭ତାରିଖରେ ଅନୁଷ୍ଠିତ ବିଜେଡିରେର ପଦଯାତ୍ରା ଓ ମହିଳା ସମାବେଶକୁ ଦେଖିଲେ ଯେକେହି ଏହା ବୁଝିପାରିବ | ଉପରେ ଦିଆଯାଇଥିବା ଫଟୋ ଓ ଭିଡିଓକୁ ଟିକେ ଭଲ ଭାବରେ ଦେଖନ୍ତୁ | ବିଜେଡି ମହିଳା ସମାବେଶରେ ମହିଳାମାନେ ଯେଉଁ ପ୍ଲାକାର୍ଡ଼ ଧରିଛନ୍ତି ସେଥିରେ କ'ଣ ଲେଖାଯାଇଛି | କିଛି ପ୍ଲାକାର୍ଡ଼ରେ ନବୀନ ପଟ୍ଟନାୟକଙ୍କ ଏବଂ ସ୍ଥାନୀୟ ବିଧାୟକଙ୍କ ଫଟୋ ସାଙ୍ଗକୁ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ଼ ରହିଛି | ଆଉ କିଛି ମହିଳାଙ୍କ ହାତରେ ଯେଉଁ ପ୍ଲାକାର୍ଡ଼ ରହିଛି ତାକୁ ନିଶ୍ଚୟ ଫଟୋରୁ ଦେଖିସାରିବେଣି | ସେହି ସବୁ ପ୍ଲାକାର୍ଡ଼ରେ ପ୍ରେସ ଲେଖାହୋଇଛି | ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ବିଜେଡିର ମହିଳା ସମାବେଶ ଓ ପଦଯାତ୍ରାରେ ପ୍ରେସ ଲେଖାଯାଇଥିବା ଏହି ସବୁ ପ୍ଲାକାର୍ଡ଼ ମହିଳାମାନେ କାହିଁକି ଧରିଛନ୍ତି | ଆପଣଙ୍କ ମନକୁ ନିଶ୍ଚୟ ଆସୁଥିବା ଯେ, ନିକଟରେ ସାମ୍ବାଦିକମାନଙ୍କ ଉପରେ ବିଭିନ୍ନ ସ୍ଥାନରେ ଯେଉଁ ଆକ୍ରମଣ ହୋଇଛି ତାର ପ୍ରତିବାଦରେ ବା ସପକ୍ଷରେ ହୁଏତ ଏଭଳି ପ୍ଲାକାର୍ଡ଼ ଧରାଯାଇଛି | କାରଣ ଭଦ୍ରକର ପଡୋଶୀ ଜିଲ୍ଲା ବାଲେଶ୍ୱରରେ ଜଣେ ବିଜେଡି ବିଧାୟକ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ | କିନ୍ତୁ ଏହି ପ୍ଲାକାର୍ଡ଼ ଧରିବା ପଛରେ ସେମିତି କିଛି ବି ଉଦ୍ଦେଶ୍ୟ ନଥିଲା | ବରଂ ଛୋଟ ମୋଟ ଭୁଲ ବୁଝାମଣା ଓ ଆୟୋଜକଙ୍କ ସଭା ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ହାସ୍ୟଦ୍ଦୀପକ ଘଟଣା ଘଟିଛି | ଘଟଣାଟି ହେଉଛି ଏମିତି - ୭ତାରିଖ ଦିନ ବିଜେଡିର ପଦଯାତ୍ରା ସାଙ୍ଗକୁ ମହିଳା ସମାବେଶ କାର୍ଯ୍ୟକ୍ରମ ଥିଲା | ସେଥିପାଇଁ ମଂଚ ନିର୍ମାଣ କରାଯାଇଥିଲା | ମଂଚ ଆଗରେ ଚେୟାର ବି ପଡିଥିଲା | କିଏ କୋଉଠି ବସିବ ତାହା ମଧ୍ୟ ଚିହ୍ନିତ କରାଯାଇଥିଲା | ବେଶ ଜାକଜମକରେ ସବୁ କଥା ଆୟୋଜନ କରାଯାଇଥିଲା | ପଦଯାତ୍ରାରେ ସାମିଲ ହେବାକୁ ଆସିଥିବା ମହିଳାମାନେ ଧରିବା ପାଇଁ ଆୟୋଜକମାନେ ପ୍ଲାକାର୍ଡ଼ ମଧ୍ୟ ତିଆରି କରିଥିଲେ | ସମସ୍ତେ ପ୍ରଥମେ ସଭା ମଂଚ ପାଖରେ ଏକାଠି ହୋଇଥିଲେ | ପଦଯାତ୍ରାରେ ବାହାରିବା ପୂର୍ବରୁ ସମସ୍ତଙ୍କୁ କୁହାଯାଇଥିଲା ମଂଚ ନିକଟରେ ଥିବା ପ୍ଲାକାର୍ଡ଼ ନେଇ ପଦଯାତ୍ରା କରିବା ପାଇଁ | ଉପସ୍ଥିତ ମହିଳାମାନେ ଗୋଟିଏ ଜାଗାରେ ଗଦା ହୋଇଥିବା ପ୍ଲାକାର୍ଡ଼ରୁ ଗୋଟିଏ ଗୋଟିଏ ଉଠାଇ ଚାଲିଥିଲେ | କିନ୍ତୁ ପ୍ଲାକାର୍ଡ଼ ସବୁ ସରିଗଲା | କିଛି ମହିଳାଙ୍କ ପାଇଁ ପ୍ଲାକାର୍ଡ଼ ନଥିଲା | ଫଳରେ ପ୍ଲାକାର୍ଡ଼ ପାଇନଥିବା କିଛି ମହିଳା ମଂଚ ସାମ୍ନାରେ କିଏ କେଉଁଠି ବସିବ ବୋଲି ଚିହ୍ନିତ କରିବା ପାଇଁ ଯେଉଁ ପ୍ଲାକାର୍ଡ଼ ସବୁ ଲାଗିଥିଲା ତାକୁ ଓପାଡି ନେଇ ରାଲିକୁ ଚାଲିଗଲେ | ଦେଖିଲାବେଳକୁ ପ୍ଲାକାର୍ଡ଼ରେ 'ପ୍ରେସ' ବୋଲି ଲେଖାଥିଲା | ରାଲି ପୁରା ସହର ପରିକ୍ରମା କରିଥିଲେ ମଧ୍ୟ ଏହି ଭୁଲଟିକୁ ସୁଧାରିବାକୁ କେହି ଉଚିତ ଭାବିନଥିଲେ | ଏଠାରେ ପ୍ରଶ୍ନ ଉଠୁଛି କେତେ ଆନ୍ତରିକତା ରହିଛି ଏଭଳି ରାଲି ଓ ସମାବେଶରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.