ଗଜପତି, ୧୬/୧୦: ସରକାରଙ୍କ ପକ୍ଷରୁ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ, ପ୍ରକାଶିତ ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି ଗଜପତି ଜିଲ୍ଲା ବିଜେପି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓ ଏ ନେଇ ପ୍ରଶ୍ନ କରିଛନ୍ତି । ଜିଲ୍ଲାରେ ସର୍ବମୋଟ ୧୪ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ଗୋଟିଏ ବି ଜୋନ୍ ପଛୁଆବର୍ଗ (ଓବିସି) ନିମନ୍ତେ ସଂରକ୍ଷିତ ନାହିଁ । ସେଭଳି ସ୍ଥଳେ ଜିଲ୍ଲା ପରିଷଦ ଚେୟାରମେନ ପଦବୀ ପାଇଁ ପଛୁଆବର୍ଗ ନିମନ୍ତେ ସଂରକ୍ଷିତ ରହିଥିବା ବିଜ୍ଞପ୍ତିରେ କିଭଳି ପ୍ରକାଶ ପାଇଛି । ସେପଟେ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁସାରେ ୫୦ ପ୍ରତିଶତ ସାଧାରଣ ବର୍ଗ, ଦଶ ପ୍ରତିଶତ ପଛୁଆବର୍ଗ ଓ ବାକି ୪୦ ପ୍ରତିଶତ ସଂରକ୍ଷିତ ବର୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।
ତେବେ ଏହି ଗାଇଡଲାଇନକୁ ଅଣଦେଖା କରି ଗଜପତି ଜିଲ୍ଲା ପାଇଁ ସମ୍ପୃର୍ଣ୍ଣ ଭାବରେ ନେତା ଓ ସରକାରୀ ଅଧିକାରୀ ମନମୁତାବକ ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ପ୍ରଶାସନ ଓ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି । ଯଦି ଆଗାମୀ ଦିନରେ ବିଜ୍ଞପ୍ତିରେ ସଂଶୋଧନ କରାନଯାଏ ତାହାହେଲେ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଆଇନ ଗତ ଲଢେଇ ଲଢ଼ିବେ ବୋଲି ଚେତାବନୀ ଦେଇଛନ୍ତି ।