ନାଁ ନ ନେଇ ତେରେଚ୍ଛା ବାଣ ମାରିଲେ ତାରା, ପ୍ରଦୀପ ମାଝୀଙ୍କୁ କଲେ ଟାର୍ଗେଟ୍‌

Published By : Prameya-News7 Bureau | November 06, 2021 IST

ନବରଙ୍ଗପୁର, ୦୬/୧୧: କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଥିବା ନେତାଙ୍କ ଉପରେ ବର୍ଷିଲେ ତାରା ପ୍ରସାଦ ବାହିନୀପତି । ନାଁ ନ ନେଇ ପ୍ରଦୀପ ମାଝୀଙ୍କୁ ସମାଲୋଚନା କରିବା ସହ କଂଗ୍ରେସ ଟିକେଟରେ ସାଂସଦ ଜିତିଥିଲେ, ଯଦି କଂଗ୍ରେସ ତାଙ୍କୁ କିଛି ଦେଇନାହିଁ ତାହେଲେ ସେ ତାଙ୍କ ସାଂସଦ ପେନସନକୁ ଗରିବଙ୍କ ସେବାରେ ଉସର୍ଗୀକୃତ କରିଦେଉନାହାନ୍ତି । ଯଦି ଏପରି କରିବେ ତାହେଲେ ଆମେ ଜାଣିବୁ ଯେ ସେ ପ୍ରକୃତରେ ଜନସେବା କରୁଛନ୍ତି ବୋଲି କହିଛନ୍ତି ବାହିନୀପତି।

ଏହା ପରେ ପ୍ରଦୀପ ମାଝୀଙ୍କୁ ଚ୍ୟାଲେଞ୍ଜ କରି ବାହିନୀପତି କହିଛନ୍ତି ଯେ, ପ୍ରଦୀପ ମାଝୀଙ୍କ ଗାଁରେ, ତାଙ୍କ ସାହିରେ, ତାଙ୍କ ଘର ମୁହଁରେ ଆସନ୍ତା କାଲି କଂଗ୍ରେସ ମିଟିଙ୍ଗ କରିବ ଏବଂ ଅନେକ ଲୋକଙ୍କୁ କଂଗ୍ରେସ ଦଳରେ ସାମିଲ କରିବ ବୋଲି କହିଛନ୍ତି । ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ରାସ୍ତା ଘାଟ ପର୍ଯ୍ୟନ୍ତ ସବୁ ଯୋଜନା କଂଗ୍ରେସ ଦଳ କରିଥିବା ଯୋଜନା। ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱାଭିମାନ, ଅଧିକାର ପାଇଁ ଆମେ ଲଢେଇ କରୁଚୁ । ବିଜେଡି ସରକାର ଦୀର୍ଘ ଦିନ ଶାସନରେ ରହିବା ପରେ ମଧ୍ୟ ଇଞ୍ଚିଏ ଜମିକୁ ଜଳସେଚନ କରିପାରିଲା ନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷିତ ଯୁବକ, ଯୁବତୀ ମାନେ ଚାକିରୀ ଖଣ୍ଡେ ପାଇପାରିଲେ ନାହିଁ ବୋଲି କହିଛନ୍ତି ବାହିନୀପତି।

ଆଜି ବିଜେଡ଼ିର ମିଶ୍ରଣ ପର୍ବ ପରେ ନବରଙ୍ଗପୁର ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ପକ୍ଷରୁ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ରଖିଛନ୍ତି ବାହିନୀପତି।  ଆସନ୍ତା ୯ ତାରିଖ ଦିନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶା,ଆନ୍ଧ୍ର ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମକୁ ନେଇ ବାହିନୀପତି କହିଛନ୍ତି ଯେ ମୁଁ ଅନେକ ଥର ନବୀନ ବାବୁଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପାଇଁ କହିଥିଲି । କିନ୍ତୁ ସେ କଥା ହେଲେ ନାହିଁ, କିନ୍ତୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.