୧୧ଜିଲ୍ଲାରେ ଶନିବାର-ରବିବାର ସଟ୍‌ଡାଉନ୍‌, ୩୧ଜୁଲାଇ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

Published By : Prameya-News7 Bureau | June 01, 2020 IST

ଭୁବନେଶ୍ୱର ୦୧।୦୬ : ଲକ୍‌ଡାଉନ୍‌ ୪.୦ ସରିବା ପରେ ଆଜିଠୁ ଆରମ୍ଭ ହେଉଛି ଅନ୍‌ଲକ ୧.୦ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ପରେ ଆଜି ରାଜ୍ୟ ସରକାର ଜୁନ୍‌ ୧ରୁ ୩୦ପର୍ଯ୍ୟନ୍ତ ଅନ୍‌ଲକ୍‌୧.୦ର ଗାଇଡଲାଇନ୍ ବା ଆଚରଣ ବିଧି ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂପର୍କରେ ସାମ୍ବାଦିକ ସମ୍ମିଳନି କରି ସୂଚନା ଦେଇଛନ୍ତି । ସେ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, ଜୁନ୍‌ ମାସ୍‌ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କରୋନା ମୁକାବିଲା ପାଇଁ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡିବ । ଅନ୍‌ଲକ୍‌୧.୦ରେ ୧୧ ଉପକୂଳ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନିଆ ସଟ୍‌ଡାଉନ୍‌ ପାଳନ କରାଯିବ । ଏହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ,  ନୟାଗଡ, ଖୋର୍ଦ୍ଧା, କଟକ, ଜଗତିସଂହପୁର, କେନ୍ଦ୍ରାପଡା, ଯାଜପୁର, , ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର । ଏହା ସହ ସାମାଜିକ ଓ ଧାର୍ମିକ ସମାବେଶ ଉପରେ କଟକଣା ସହ ରାତ୍ରି କର୍ଫ୍ୟ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ତେବେ ଶିକ୍ଷାନୁଷ୍ଠାନ ଗୁଡିକ ଜୁନ୍ ୩୦ ପରେ ବି ଆହୁରି ଅଧିକ ଦିନ ବନ୍ଦ ରହିବ । ‌

କରୋନା ମୁକାବିଲା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଥିବା ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଏଥିପାଇଁ କ୍ୱାରେଣ୍ଟାଇନ୍‌ ନିୟମ କଡାକଡା ଭାବେ ପାଳନ କରାଯାଉଛି । ଦୈନିକ ହାରାହାରି ନମୁନା ପରୀକ୍ଷା ସଂଖ୍ୟା ୪ହଜାରକୁ ବୃଦ୍ଧି ପାଇଥିବା ବେଳେ କୋଭିଡ-୧୯ର ନିୟନ୍ତ୍ରଣ ଲାଗି ସରକାର ସବୁ ନିୟମକୁ କଡାକଡି କରିଛନ୍ତି । ଅନ୍‌ଲକ୍‌ ୧.୦ର ଗାଇଡଲାଇନ୍‌ ଅନୁଯାୟୀ ଜୁନ୍‌ ୩୦ ତାରିଖ ଯାଏଁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଜିମ୍‌, ମଲ୍‌ ଏବଂ ସିନେମା ହଲ୍‌ ବନ୍ଦ ରହିବ । ସାମାଜିକ ଓ ଧାର୍ମିକ ଉତ୍ସବରେ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରାଯିବ । ହୋଟେଲ ରେଷ୍ଟାରାଣ୍ଟ ଖୋଲିବ କିନ୍ତୁ ୩୦ପ୍ରତିଶତ କର୍ମଚାରୀ ନେଇ କାର୍ଯ୍ୟ କରିବାକୁ ପଡିବ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟରେ ସ୍କୁଲ ଓ କଲେଜ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ପାଇଁ ଏହି ନିୟମ ଲାଗୁ କରାଯାଇଛି ।

ଏହା ସହ ବାହାରେ ଛେପ ପକାଇଲେ ୫ଶହ ଟଙ୍କା ଓ ମାସ୍କ ନପିନ୍ଧିଲେ ୫ଶହ ଟଙ୍କା ଫାଇନ୍‌ ଅନ୍‌ଲକ୍‌ ୧ରେ ଆହୁରୀ କଡାକଡି ଭାବେ ପାଳନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ କହିଛନ୍ତି , ଲୋକଙ୍କ ଆଗମନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ବସ୍‌, ଟ୍ରେନ୍‌ ଏବଂ ବିମାନରେ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି । ବିଭିନ୍ନ ପରିବହନ ମାଧ୍ୟମରେ ରବିବାର ଦିନ ୧୧ଟା ସୁଦ୍ଧା ରାଜ୍ୟକୁ ୪ଲକ୍ଷ ୨୬ହଜାର ୫୦୪ଜଣ ପ୍ରବାସୀ ଫେରିଛନ୍ତି । ସେମାନଙ୍କ କ୍ୱାରେଣ୍ଟାଇନ୍‌ ସହ ଆବଶ୍ୟକ ସ୍ଥଳେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ରହିଛି । ବର୍ତ୍ତମାନ ଟ୍ରେନ୍‌ରେ ଆଗମନ କମିଥିଲେ ବି ଏହା ଆଗକୁ ବଢିବ । ତେଣୁ ତାହା ଉପରେ ଅଧିକ ନଜର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.