ରାଜ୍ୟ ରାଜନୀତିକୁ ପୁଣି ଫେରିଲା ଚାଷୀ ପ୍ରସଙ୍ଗ: ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କଲା ବିଜେଡି

Published By : Prameya-News7 Bureau | January 18, 2021 IST

ଭୁବନେଶ୍ବର୧୮/୧: ରାଜ୍ୟ ରାଜନୀତିକୁ ପୁଣି ଫେରିଲା ଚାଷୀ ପ୍ରସଙ୍ଗ । ଧାନ ସଂଗ୍ରହକୁ ନେଇ ମୁହାଁ ମୁହିଁ ହେଲେ ଶାସକ ଓ ବିରୋଧୀ । ରାଜ୍ୟରେ  ଚାଷୀଙ୍କଠାରୁ ସଂଗୃହୀତ ଧାନରୁ ପ୍ରସ୍ତୁତ ସବୁ ଉଷୁନା ଚାଉଳକୁ କେନ୍ଦ୍ର ନେବାକୁ ନାରାଜ । ଖରିଫରେ ସଂଗ୍ରହ  ହେଉଥିବା ଚାଉଳର ୫୦ ପ୍ରତିଶତ କେନ୍ଦ୍ର କିଣିବାକୁ କହୁଛି । ଆଜି ସାମ୍ବିଦିକ ସମ୍ମିଳନୀ କରି ବିଜେଡି କେନ୍ଦ୍ର ଆଡକୁ ଆକ୍ଷେପ କରିଥିବା ବେଳେ  ଧାନ କିଣା ବାବଦକୁ କେନ୍ଦ୍ର ଦେଉଥିବା ୬ ହଜାର ୫ ଶହ ୪୦ କୋଟି ବାକି ଅଛି ବୋଲି କହିଛି । ସେପଟେ ଜବାବ ରଖିଛି ବିଜେପି । କହିଛି କେନ୍ଦ୍ର ଓଡିଶାକୁ ବିଭିନ୍ନ ଉପାୟରେ ଅନୁଦାନ ଦେଉଛି। ଯାହାକି ଚାଷୀଙ୍କ ପାଖରେ ପହଞ୍ଚିପାରୁନି। ବିଜେଡି ମିଲରଙ୍କ ପାଇଁ ଓକିଲାତି କରୁଛି ବୋଲି ଆକ୍ଷେପ କରିଛି ବିଜେପି।

ଚାଉଳ ରାଜନୀତିର ନୂଆ ରୂପ।  ଚାଷୀ ସ୍ବାର୍ଥ ପ୍ରସଙ୍ଗରେ ଶାସକ ବିରୋଧୀ ଛକା ପଞ୍ଝା। ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ  ରାଜ୍ୟ ସରକାରଙ୍କୁ ବିଜେପି ଘେରୁଥିବାବେଳେ ଏବେ କେନ୍ଦ୍ର ଚାଉଳ କିଣାରେ ଟାଳଟୁଳ କରୁଥିବା ଅଭିଯୋଗ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ଦେଇଥିବା ଚିଠିକୁ ଆଧାର କରି ବିଜେଡି ଏଭଳି ଆକ୍ଷେପ କରିଛି। କେବଳ ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବା ସହ  ରବି ସିଜିନ ପାଇଁ  ଆଦୌ ଚାଉଳ  ନେବେ ନାହିଁ ବୋଲି ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର।  ବିଜେଡି କହିଛି ୨୦୨୦-୨୦୨୧ରେ  ରାଜ୍ୟର ୨୪ ଲକ୍ଷ ଟନ ଚାଉଳ ନିଜସ୍ବ ବ୍ୟବହାର ପରେ ଆଉ ୩୧ ଲକ୍ଷ ଟନ ଚାଉଳ ବଳିବ। ବଳକା ଚାଉଳରୁ କେନ୍ଦ୍ର ଯଦି ୧୦ ଲକ୍ଷ ନେବ ତେବେ ୨୧ ଲକ୍ଷ ଟନ ଚାଉଳ ବଳିଯିବ।  ଯେଉଁଥିପାଇଁ ରାଜ୍ୟର ୧୦ ହଜାର କୋଟି ଟଙ୍କା କ୍ଷତି ହେବ। ଏହାର ପ୍ରଭାବ ସିଧା ରାଜ୍ୟର ଚାଷୀଙ୍କ ଉପରେ ପଡିବ। ସେହିପରି ଧାନ ସଂଗ୍ରହ ବାବଦକୁ ରାଜ୍ୟ ସରକାର ୬ ହଜାର ୫ଶହ ୫୦ କୋଟି ଚାଷୀଙ୍କୁ ପ୍ରଦାନ କରିସାରିଲେଣି। ହେଲେ ଧାନକିଣା ବାବଦକୁ  ୬ ହଜାର ୪୦ କୋଟି ଟଙ୍କା ବାକି ପଡିଥିଲେ ବି କେନ୍ଦ୍ର ଦେଉ ନାହିଁ ବିଜେଡି ଅଭିଯୋଗ କରିଛି।  ସେହିପରି କେନ୍ଦ୍ର ସରକାର ସ୍ବାମୀ ନାଥନ ରିପୋର୍ଟ ଲାଗୁ କରିବାକୁ ବିଜେଡି ଦାବି କରିଛି।

ସେପଟେ ରାଜ୍ୟରେ ଧାନ ସଂଗ୍ରହରେ ମଣ୍ଡିରେ ଅବ୍ୟବସ୍ଥା ନେଇ ରାଜ୍ୟସରକାରଙ୍କ ଉପରେ ଆରୋପ ଲଗାଇ ଆସୁଛି ବିଜେପି। ଦଳର ମଣ୍ଡିଚାଲ ଅଭିଯାନ ସହ ୪ଟି କୃଷକ ସମାବେଶ କରିଥିବା ଦଳ ୨୧ରେ ପଶ୍ଚିମ ଓଡିଶାର ଚାଷୀଙ୍କୁ ନେଇ ଆରଡିସି ଅଫିସ ଘେରାଉ କରିବ ବୋଲି ଚେତାବନୀ ଦେଇଛି। ତା ପୂର୍ବରୁ କିନ୍ତୁ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚାଷୀଙ୍କ ସହ ରାଜ୍ୟ ସରକାର  ଓ ବିଜେଡି ଅଛନ୍ତି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ଯାହାର ଜବାବ ଦେଇଛି ବିଜେପି । ମିଲର ପାଇଁ ବିଜେଡି ଓକିଲାତି କରୁଛନ୍ତି ବୋଲି କହିଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେବା ପରେ ମଧ୍ୟ ଏହା ଚାଷୀଙ୍କ ପାଖରେ ପହଞ୍ଚୁ ନାହିଁ।  ସେପଟେ କଂଗ୍ରେସ ଉଭୟ ବିଜେପି ଓ ବିଜେଡି ଚାଷୀ ପ୍ରସଙ୍ଗରେ ରାଜନୀତି କରୁଛନ୍ତି ବୋଲି କହିଛି ।

ଚାଷୀ ପ୍ରସଙ୍ଗରେ ଦିଲ୍ଲୀ ରାଜନୀତି ହୁଲସ୍ତୁଲ ହେଉଥିବା ବେଳେ ରାଜ୍ୟରେ ବି ଚାଷୀଙ୍କ ସ୍ବାର୍ଥକୁ ନେଇ ନେତାଏ ଭିଡ଼ାଭିଡ଼ି ହୋଇଛନ୍ତି। ଉଭୟ ବିରୋଧୀ ଓ ଶାସକ ଚାଷୀଙ୍କ ସହ ଥିବା ଦେଖାଇ ହେବାକୁ ଚେଷ୍ଟା କରିଛନ୍ତି। ଯାହାକୁ ନେଇ ଆଗକୁ ରାଜ୍ୟରେ ରାଜନୀତି ଆହୁରି ବଢ଼ିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.