କରୋନା ଗାଇଡଲାଇନ୍‌ ନେଇ ରାଜ୍ୟବାସୀଙ୍କୁ SRCଙ୍କ ସୂଚନା : ‘ବଢିବନି ମୂର୍ତ୍ତି ଉଚ୍ଚତା, ପାର୍ବଣରେ ଗାଇଡଲାଇନ୍‌ ମାନିବାକୁ ଅପିଲ’

Published By : Prameya-News7 Bureau | September 10, 2021 IST

ଭୁବନେଶ୍ବର ୧୦/୦୯ : କୋଭିଡ ଗାଇଡଲାଇନ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା । ପ୍ରେସମିଟ୍‌ ଜରିଆରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି, ‘ପୂଜା ସମୟରେ ରାଜ୍ୟବାସୀଙ୍କୁ କଟକଣା ମାନନ୍ତୁ । ପ୍ରଶାସନକୁ ଅକୁଣ୍ଠ ସହଯୋଗ କରିଛନ୍ତି ରାଜ୍ୟବାସୀ । ପାର୍ବଣ ଋତୁରେ ଗାଇଡଲାଇନ ପାଳନ କରିବାକୁ ବିଶେଷ ଅନୁରୋଧ । ଏହା ସହିତ ରାଜ୍ୟ ସରକାର ପାର୍ବଣ ପାଇଁ ଜାରି କରିଥିବା ଗାଇଡଲାଇନ୍‌କୁ ମାନି ପୂଜା କରିବା । ବିଭିନ୍ନ ପୂଜା କମିଟିମାନଙ୍କୁ କରୋନା ଗାଇଡଲାଇନ୍‌ ପାଳନ କରିବା ସହିତ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ପୂଜା ଏବଂ ଅନ୍ୟ ପାର୍ବଣ ସମୟରେ ବିଶେଷ ଧ୍ୟାନ ଦେବାକୁ ହେବ । ସଂକ୍ରମଣକୁ ଦୃଷ୍ଟିରେ ରଖି ମୂର୍ତ୍ତି ଉଚ୍ଚତା ବଢାଯିବ ନାହିଁ । ୪ ଫୁଟରୁ ଉଚ୍ଚ ମୂର୍ତ୍ତି ନକରିବା ପାଇଁ ପୂଜା କମିଟିମାନଙ୍କୁ ଅପିଲ କରାଯାଉଛି ।’

ନୂଆଁଖାଇ ପାଳନ କରିବା ପାଇଁ ମନ୍ଦିର ନଯିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି । ଘରେ ରହି ପରିବାର ଲୋକଙ୍କ ସହିତ ନୂଆଁଖାଇ ପର୍ବ ପାଳନ କରିବାକୁ ଅପିଲ କରିଛନ୍ତି ପ୍ରଦୀପ ଜେନା । କେରଳର ଉଦାହରଣ ଦେଇ ଏସ୍‌ଆର୍‌ସି କହିଛନ୍ତି, ସେଠାରେ ସଂକ୍ରଅମଣ ହାର କମିଥିଲା । କିନ୍ତୁ ଓନାମ୍‌ ପର୍ବ ପାଳନ ପରେ ସଂକ୍ରମଣ ହାର ଅହେତୁକ ଭାବେ ବୃଦ୍ଧି ପାଇଛି । ସେହିଭଳି କୁମ୍ଭ ମେଳା ପରେ ଦେଶରେ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧିପାଇଥିଲା । ଏବେ କେରଳରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାର ମୁଖ୍ୟ କାରଣ ହେଉଛି ପର୍ବପର୍ବାଣୀ । ତେଣୁ ରାଜ୍ୟରେ ଏବେ ପାର୍ବଣ ଋତୁ ଚାଲୁଥିବାରୁ ସଚେତନତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା ।

ଜନସ୍ବାର୍ଥ ଦୃଷ୍ଟିରୁ ଏବେ ମଧ୍ୟ ରାଜ୍ୟରେ କୋଭିଡ୍‌ କଟକଣା ଜାରି ରହିଛି । କଟକଣା କୋହଳ ହୋଇଥିଲେ ସୁଦ୍ଧା ଗାଇଡଲାଇନ୍‌ ଜାରି କରାଯାଇଛି ଏବଂ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରି ପୂଜା କରିବା ପାଇଁ ଅପିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.