ନୂଆ କୃଷି ଆଇନକୁ ନେଇ ନବଜୋତ ସିଂହ ସିଦ୍ଧୁଙ୍କ ପ୍ରେସ୍‌ମିଟ୍‌: କହିଲେ,‘ଚାଷୀଙ୍କ ପାଇଁ ଗୋଟିଏ ଓ ଅମ୍ବାନୀ-ଆଦାନୀଙ୍କ ପାଇଁ ଅଲଗା ନିୟମ’

Published By : Prameya-News7 Bureau | September 15, 2021 IST

ଚଣ୍ଡିଗଡ ୧୫/୦୯ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ବିଭିନ୍ନ ଚାଷୀ ସଂଗଠନ ଦୀର୍ଘଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ କଂଗ୍ରେସ ଦଳ ଆରମ୍ଭରୁ ହିଁ ସମର୍ଥନ କରିଆସୁଛି । ଏହାରି ମଧ୍ୟରେ ପ୍ରେସ୍‌ମିଟ୍‌ କରି ଅକାଳୀ ଦଳକୁ ଟାର୍ଗେଟ୍‌ କରିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ସେ କହିଛନ୍ତି, ଯେତେବେଳେ ନୂଆ କୃଷି ଆଇନ ତିଆରି କରାଯାଇଥିଲା ସେତେବେଳେ ଏନ୍‌ଡିଏ ସରକାରରେ ମେଣ୍ଟ କରିଥିଲା ଅକାଳୀ ଦଳ ।

କୃଷିଜାତ ଦ୍ରବ୍ୟଗୁଡିକୁ କ୍ରୟ କରିବା ନେଇ ‘ଫର୍ଦ୍ଦ୍‌’ ଅନିବାର୍ଯ୍ୟ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ଏହି ନିୟମ ଲାଗୁ କରି ‘ଗୋଟିଏ ଦେଶ ଦୁଇ ବଜାର’ ସିଷ୍ଟମ ଲାଗୁ କରୁଛନ୍ତି । ପୂର୍ବରୁ ଟ୍ବିଟ୍‌ କରି ଏହି ମୁଦ୍ଦା ଉଠାଇବା ସହିତ କେନ୍ଦ୍ର ସରକାର ଫର୍ଦ୍ଦ୍‌କୁ ଅନିବାର୍ଯ୍ୟ କରିବା ପଞ୍ଜାବର ଆର୍ଥିକ ସ୍ଥିତିକୁ ବିପଦମୂଖୀ କରୁଥିବା କହିଥିଲେ ସିଦ୍ଧୁ । ଜାଣିଶୁଣି ଗୋଟିଏ ଦେଶ ଦୁଇ ବଜାର ତିଆରି କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଏହି ନିୟମ କେବଳ ଏମ୍‌ଏସ୍‌ପି ମଣ୍ଡିଗୁଡିକ ପାଇଁ ଉର୍ଦ୍ଦିଷ୍ଟ ହେଉଛି । କିନ୍ତୁ ଘରୋଇ ମଣ୍ଡିଗୁଡିକ ଏଥିରୁ ବାଦ୍‌ ପଡୁଛନ୍ତି । ଯାହାଫଳରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଏହା ବ୍ୟାପକ ପ୍ରଭାବିତ କରିବ ବୋଲି ଟ୍ବିଟ୍‌ ଯୋଗେ କହିଥିଲେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ।

ସିଦ୍ଧୁ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ପଞ୍ଜାବରେ APMC(କୃଷି ଉତ୍ପାଦନ ବଜାରୀକରଣ କମିଟି)କୁ ବର୍ବାଦ କରିବାକୁ ବସିଛନ୍ତି । ନେସନାଲ ସାମ୍ପୁଲ ସର୍ଭେ ୨୦୧୨-୧୩ର ଉଦାହରଣ ଦେଇ ସିଦ୍ଧୁ କହିଛନ୍ତି, ଦେଶରେ ୨୪ ପ୍ରତିଶତ କୃଷି କାର୍ଯ୍ୟ ଠିକା ଦ୍ବାରା ହୋଇଥାଏ । ଯାହାକି କୌଣସି ଲିଖିତ ଆକାରରେ ହୁଏ ନାହିଁ କେବଳ କଥାବାର୍ତ୍ତା ମାଧ୍ୟମ​‌ରେ ବ୍ୟକ୍ତିଗତ ମୁଚାଲିକା ଦ୍ବାରା ହୋଇଥାଏ । ତେଣୁ କେନ୍ଦ୍ରର ସେହି ନିଷ୍ପତ୍ତି ଯୋଗୁଁ ପଞ୍ଜାବରେ ୨୫-୩୦ ପ୍ରତିଶତ ଚାଷୀଙ୍କୁ ଟଙ୍କା ମିଳିପାରିନାହିଁ । ଘରୋଇ ସଂସ୍ଥାଗୁଡିକୁ ମାଲେମାଲ କରିବା ପାଇଁ କେନ୍ଦ୍ର ସରକାର ନୂଆ କୃଷି ଆଇନ ଲାଗୁକରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସିଦ୍ଧୁ । ଏହା ସହିତ ସେ କହିଛନ୍ତି, ଚାଷୀମାନେ ଅମ୍ବାନୀ ଏବଂ ଆଦାନୀଙ୍କୁ ନିଜ ଫସଲ ବିକ୍ରି କଲେ କୌଣସି ଅସୁବିଧା ନାହିଁ କିନ୍ତୁ ସରକାରୀ ମଣ୍ଡିମାନଙ୍କରେ ଫସଲ ବିକ୍ରି କରିବାରେ ଅସୁବିଧା ହେଉଛି । କାଗଜପତ୍ର ଆବଶ୍ୟକ ପଡୁଛି । ତେଣୁ ଚାଷୀମାନେ ଏହା ବୁଝନ୍ତୁ ଏବଂ କେନ୍ଦ୍ର ସରକାରଙ୍କ ତୋଷଣ ନୀତିକୁ ବିରୋଧ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.