କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କଲେ ରାଷ୍ଟ୍ରପତି, ଲାଲକିଲ୍ଲା ଘଟଣାକୁ କହିଲେ ଦୁର୍ଭାଗ୍ୟପୂର୍ଣ୍ଣ

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ ୨୯।୧:  ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମାନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିଛନ୍ତି।  ଅଭିଭାଷଣରେ ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ସମର୍ଥନ କରିଛନ୍ତି।

ଦୀର୍ଘ ୧ ଘଣ୍ଟାର ଅଭିଭାଷଣରେ ରାଷ୍ଟ୍ରପତି ‘ବ୍ୟାପକ ବିଚାରବିମର୍ଶ ପରେ ସଂସଦ ୭ ମାସ ପୂର୍ବେ ୩ ଗୁରୁତ୍ୱପୂର୍ଣ୍ଣ କୃଷି ସୁଧାର ଆଇନ କୃଷକ ଉପଜ ବ୍ୟାପାର ଓ ବାଣିଜ୍ୟ ବିଧେୟକ, କୃଷି ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଚୁକ୍ତିନାମା ବିଧେୟକ ତଥା ଅତ୍ୟାବଶ୍ୟକ ବସ୍ତୁ ସଂଶୋଧନ ବିଧେୟକ ’ ଗୃହୀତ କରିଥିଲା ବୋଲି କହିଛନ୍ତି।

ଆଇନରେ ଏହି ସଂସ୍କାରର ପରିଣାମ ଦେଶର ୧୦ କୋଟିରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ତୁରନ୍ତ ମିଳିବା ଆରମ୍ଭ ହୋଇଥିବା ରାଷ୍ଟ୍ରପତି କହିଛନ୍ତି।  ହେଲେ ବର୍ତ୍ତମାନ ଏହି ଆଇନର କାର୍ଯ୍ୟକାରିତା ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଜାରି ହୋଇଛି। ଯାହାକୁ ତାଙ୍କ ସରକାର ପୂର୍ଣ୍ଣ ସମ୍ମାନର ସହ ପାଳନ କରୁଥିବା ରାଷ୍ଟ୍ରପତି କହିଛନ୍ତି। ସେହିପରି ପୁରୁଣା କୃଷି ଆଇନରେ ଚାଷୀଙ୍କୁ ମିଳୁଥିବା ସୁବିଧା ସୁଯୋଗରେ ସରକାର କୌଣସି ପରିବର୍ତ୍ତନ କରିନଥିବା ରାଷ୍ଟ୍ରପତି କହିଥିବା ବେଳେ ନୂଆ ସଂଶୋଧନରେ ସରକାର ଚାଷୀଙ୍କୁ ନୂଆ ସୁବିଧା ସହ ନୂଆ ଅଧିକାର ମଧ୍ୟ ପ୍ରଦାନ କରିଥିବା କହିଛନ୍ତି।

ଦେଶରେ କୃଷିକୁ ଅଧିକ ଲାଭଜନକ କରିବା ଲାଗି ସରକାର କୃଷି ଭିତ୍ତି ଭୂମି ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ସରକାର ୧ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସ୍ଥାପନା କରିଥିବାର ମଧ୍ୟ ରାଷ୍ଟ୍ରପତି କହିଛନ୍ତି। ଏଭଳି ଚାଷୀଙ୍କ ଛୋଟମୋଟ ଖର୍ଚ୍ଚ ତୁଲାଇବା ନିମନ୍ତେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ପ୍ରାୟ ୧,୧୩,୦୦୦ କୋଟି ଟଙ୍କା ପଠାଇଥିବା ରାଷ୍ଟ୍ରପତି କହିଛନ୍ତି।

ତେବେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କୃଷକଙ୍କ ଟ୍ରାକ୍ଟର ପରେଡ ବେଳେ ଲାଲକିଲ୍ଲାରେ ଘଟିଥିବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଭାଷଣରେ କୋଭିଡ-୧୯ ମହାମାରୀ ପରିଚାଳନାରେ ସରକାରଙ୍କ ଭୂମିକାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ସଠିକ ସମୟରେ ସରକାରଙ୍କ ସଠିକ ନିଷ୍ପତ୍ତି ଯୋଗୁ ଦେଶରେ ଲକ୍ଷଲକ୍ଷ ନାଗରିକଙ୍କ ଜୀବନ ବଞ୍ଚାଯାଇପାରିଥିବା ରାଷ୍ଟ୍ରପତି କହିଛନ୍ତି।

ସେହପରି ମହାମାରୀ ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ନେଇ ମଧ୍ୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ କୋଭିଡ ଲକଡାଉନରେ ପ୍ରଭାବିତ ହୋଇଥିବା ଅର୍ଥବ୍ୟବସ୍ଥା ପୁଣି ଥରେ ସଚଳ ହୋଇଥିବା ରାଷ୍ଟ୍ରପତି କହିଛନ୍ତି।

ତେବେ ସଦନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ଏନସିପି, ନ୍ୟାସନାଲ କନଫରେନ୍ସ, ଡିଏମକେ, ତୃଣମୂଳ କଂଗ୍ରେସ, ଶିବସେନା, ସପା, ଆରଜେଡି, ସିପିଆଇ ଓ ସିପିଆଇଏମ ଆଦି ୨୦ଟି ରାଜନୈତିକ ଦଳ ବହିଷ୍କାର କରିଥିଲେ। ଏଥିରେ ଆମଆଦମୀ ପାର୍ଟି, ବସପା, ଶିରୋମଣୀ ଅକାଳୀ ଦଳ ଓ ଜନତାଦଳ (ଏସ) ଆଦି ରାଜନୈତିକ ଦଳମାନେ ମଧ୍ୟ ସଦନ ତ୍ୟାଗ କରିଥିଲେ। ତେବେ ଜେଡିୟୁ, ବିଜେଡି ଓ ଏଆଇଡିଏମକେ ଆଦି ଦଳମାନେ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ  ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.