Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମୋତେ ୫ ଲକ୍ଷ ଟଙ୍କା ମିଳୁଛି, କିନ୍ତୁ ୨.୭୫ ଲକ୍ଷ ଟ୍ୟାକ୍ସରେ ଚାଲି ଯାଉଛି, ମୋଠୁ ଅଧିକ ସଞ୍ଚୟ ତ ଶିକ୍ଷକଙ୍କର ହେଉଛି: ରାଷ୍ଟ୍ରପତି କୋବିନ୍ଦ

25/06/2021 at 9:13 PM

କାନପୁର ୨୫।୦୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦଭାର ସମ୍ଭାଳିବା ପରେ ପ୍ରଥମ ଥର କାନପୁର ଜିଲ୍ଲା ନିଜର ପୈତୃକ ଗାଁ ପରୋଙ୍ଖ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ସ୍ଵତନ୍ତ୍ର ଟ୍ରେନ ଯୋଗେ ଶୁକ୍ରବାର ସନ୍ଧ୍ୟା ୬ଟା ୧୦ରେ କାନପୁର ଦେହାତ ଜିଲ୍ଲାର ଝିଝକ ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ଏଠାରେ ଲୋକଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ମୁଁ ଆପଣଙ୍କ ଆଶୀର୍ବାଦ ନେବା ପାଇଁ ଆସିଛି। ମୋତେ ରେଲଓ୍ଵେ ଷ୍ଟେସନର ପ୍ରତିଟି ମୁହୂର୍ତ୍ତ ମନେ ଅଛି। ରାଷ୍ଟ୍ରପତି ନିଜ ଶୈଳୀରେ କହିଛନ୍ତି, ଯେବେ ମୁଁ ସାଂସଦ ଥିଲି ତେବେ ଝିଝକ ରେଲଓ୍ଵେ  ଷ୍ଟେସନରେ ଅନେକ ଟ୍ରେନ୍ ଅଟକି ରହୁଥିଲା। ମାତ୍ର ପରେ ପରିବର୍ତ୍ତନ ଘଟିଲା ଟ୍ରେନ ନିୟମିତ ଭାବେ ଦିନ ରାତି ଗଡି ଚାଲିଲା । ସମ୍ଭବତଃ କରୋନା କାରଣରୁ ପୁଣି ଥରେ ଏମିତି ଘଟିଥିବା ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକଙ୍କୁ କହିଛନ୍ତି , ଆପଣଙ୍କ ସହିତ ମୋର ଦୂରତା ଅଧିକ ନୁହେଁ। ହଁ ଏହା ସତ ଯେ ପ୍ରୋଟୋକଲ ଆଧାରରେ କିଛି ଦୂରତା ରହିଛି। କିନ୍ତୁ ଆପଣ ନିଜ କଥା ମୋ ପାଖରେ ପହଞ୍ଚାଇ ପାରିବେ। ଦେଶରେ ସ୍ଵାଧୀନତା ପରେ ବହୁତ ବିକାଶ ଘଟିଛି। ଆମ ସମସ୍ତଙ୍କ ଦାୟିତ୍ଵ ଦେଶ ବିକାଶରେ ସହଯୋଗ କରିବା। ଅନେକ ଥର ଦେଖିବାକୁ ମିଳିଛି ଯେ, କିଛି ଲୋକ ଧାରଣା ପ୍ରଦର୍ଶନ ସମୟରେ ଟ୍ରେନ ଅଟକାଇଥାନ୍ତି। ଆଉ କେଉଁଠି ଟ୍ରେନରେ ନିଆଁ ଲଗାଇ ଦିଅନ୍ତି। ଏହା ସଂପୂର୍ଣ୍ଣ ଭୁଲ୍। କ୍ଷଣିକ ଆବେଗରେ ଆସି ଏମିତି ପଦକ୍ଷେପ ନେବା କଦାପି ଗ୍ରହଣୀୟ ନୁହେଁ ବୋଲି କୋବିନ୍ଦ କହିଛନ୍ତି।

ଶିକ୍ଷକଙ୍କ ଅଧିକ ବେତନ

ରାଷ୍ଟ୍ରପତି କୋବିନ୍ଦ ନିଜର ଚରି ପରିଚିତ ସ୍ଵଭାବରେ କହିଛନ୍ତି, ଦେଶରେ ସବୁଠୁ ଅଧିକ ବେତନ ରାଷ୍ଟ୍ରପତିଙ୍କୁ ମିଳିଥାଏ। ସେହି ହିସାବରେ ମୋତେ ୫ ଲକ୍ଷ ମିଳୁଛି। ହେଲେ ଏଥିରୁ ୨  ଲକ୍ଷ ୭୫ ହଜାର ଟଙ୍କା ଟ୍ୟାକ୍ସରେ ଚାଲି ଯାଉଛି। ତେବେ ଆପଣ କୁହନ୍ତୁ କେତେ ଟଙ୍କା ଆଉ ବଞ୍ଚିଲା। ଆଉ ଯାହା କିଛି ବଞ୍ଚିଲା, ସେଥିରୁ ତ ଅଧିକ ଆମର ଅଧିକାରୀ ଏବଂ ଅନ୍ୟ ଲୋକଙ୍କୁ ମିଳୁଛି। ଏଠାରେ ଯେଉଁ ଶିକ୍ଷକମାନେ ବସିଛନ୍ତି, ସେମାନଙ୍କୁ ତ ଅଧିକ ବେତନ ମିଳୁଛି। ସେମାନଙ୍କର ଅଧିକ ସଞ୍ଚୟ ହେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ଅନ୍ୟପଟେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ କାନପୁର ପହଞ୍ଚିଛନ୍ତି। ରାଜ୍ୟପାଳ ଓ ଯୋଗୀ ଆଦିତ୍ୟନାଥ ଏଠାରେ ରାଷ୍ଟ୍ରପତିଙ୍କ ସ୍ଵାଗତ କରିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କୁ ନିଜର ପୈତୃକ ଗାଁ ଯିବାକୁ ବହୁ ଦିନରୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଥିଲା। କିନ୍ତୁ କରୋନା ମହାମାରୀ କାରଣରୁ ଏଥିରେ ବିଳମ୍ବ  ଘଟିଲା।  

   Related Posts