ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରୀ

Published By : Prameya-News7 Bureau | November 12, 2019 IST

ନୂଆଦିଲ୍ଲୀ ୧୨।୧୧ :  ମହାରାଷ୍ଟ୍ରରେ ଉପୁଜିଥିବା ରାଜନୈତିକ ସଂକଟ ପରୀପ୍ରେକ୍ଷୀରେ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ରାଜ୍ୟରେ ୩୫୬ ଧାରା ଲାଗୁ ନିମନ୍ତେ ଗୃହୀତ କରିଥିବା ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଫଳରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଯାଇଛି। ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ୨୦ ଦିନ ପରେବି କୌଣସି ଦଳ ସରକାର ଗଠନ କରିବାରେ ବିଫଳ ହୋଇଛନ୍ତି। ଫଳରେ ଉପୁଜିଥିବା ପରିସ୍ଥିତିରେ ରାଜ୍ୟପାଳ ଭଗତ ସିଂ କେଶ୍ୟୋରୀ ରାଜ୍ୟରେ ୩୫୬ ଧାରା ଲାଗୁ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ।

ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଥିଲା। ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ଶିବସେନା ୫୦-୫୦ମେଣ୍ଟ ଫର୍ମୂଲାକୁ ନେଇ ଅଡିରହିବା ଯୋଗୁ ୩ ସପ୍ତାହ ବିତିଯାଇଥିଲେ ହେଁ ସରକାର ଗଠନ ଲାଗି ଉଭୟ ଦଳ ନିଷ୍ପତ୍ତି ନେଇ ପାରିନଥିଲେ। ବିଧାନସଭା ଅବଧି ପୁରଣ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ତାଙ୍କ ମନ୍ତ୍ରୀମାନେ ପଦବୀରୁ ଇସ୍ତଫା ଦେବା ପରେ ରାଜ୍ୟପାଳ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ଲାଗି ଆମନ୍ତ୍ରିତ କରିଥିଲେ। ହେଲେ ସଂଖ୍ୟାମତ ନଥିବାରୁ ବିଜେପି ରାଜ୍ୟରେ ଏକାକୀ ସରକାର କରିପାରିବ ନାହିଁ ବୋଲି ରାଜ୍ୟପାଳଙ୍କୁ ସ୍ପଷ୍ଟ କରିଦେଇଥିଲା।

ବିଜେପି ମନା କରିବା ପରେ ରାଜ୍ୟପାଳ ଗତ ଶନିବାର ଦ୍ୱିତୀୟ ସଂଖ୍ୟା ଗିରଷ୍ଠ ଦଳ ଭାବେ ଶିବସେନାକୁ ନିଜର ବହୁମତ ସିଦ୍ଧ କରିବାକୁ ରବିବାର ସନ୍ଧ୍ୟା ସାଡେ ୭ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ଦଳ ପକ୍ଷରୁ ଆଦିତ୍ୟ ଠାକରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ତାଙ୍କ ଦଳ ଆଗ୍ରହୀ ଥିବା ଓ ଏଥିଲାଗି ଅଧିକ ୨ ଦିନ ସମୟ ଦରକାର ବୋଲି କହିଥିଲେ। ହେଲେ ନୂଆ ସରକାର ଗଠନ ଲାଗି ସମୟସୀମା ସରି ଆସୁଥିବାରୁ ଏଥିଲାଗି ରାଜ୍ୟପାଳ ସମୟ ଦେଇ ପାରିନଥିଲେ ଅନ୍ୟପକ୍ଷରେ ଏନସିପିକୁ ଆମନ୍ତ୍ରଣ କରିଥିଲେ। ତେବେ କୌଣସି ଦଳ ସରକାର ଗଢିବା ଲାଗି ସମର୍ଥ ନଥିବାରୁ ରାଜ୍ୟପାଳ ଭଗତ ସିଂ କେଶ୍ୟୋରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ୩୫୬ ଧାରା ଲାଗୁ ନିମନ୍ତେ ସୁପାରିଶ କରିଥିଲେ।

ସେହି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳଙ୍କ ସୁପାରିଶକୁ ଅନୁମୋଦନ ମିଳିଥିଲା। ସରକାର ଗଠନ ଲାଗି ମହାରାଷ୍ଟ୍ରରେ ସମୟସୀମା ସରିଯାଇଥିବା ବେଳେ କ୍ୟାବିନେଟ ନିଷ୍ପତ୍ତିକୁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି। ଫଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.