IAS ଅଫିସରଙ୍କ ନିଲମ୍ବନ ଆଦେଶ ହଟାଇଲେ ରାଷ୍ଟ୍ରପତି, ବିଜେପି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହି ନିଲମ୍ବିତ ହୋଇଥିଲେ DoT ଅଧିକାରୀ

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨/୧୧ : ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରାଯାଇ ଜଣେ ଅଫିସରଙ୍କ ନିଲମ୍ବନ ଆଦେଶ ହଟାଯାଇ ତାଙ୍କୁ ପୁନଃ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି । ଟେଲି କମ୍ୟୁନିକେସନ ବିଭାଗର ଅଧିକାରୀ ଆଶୀଷ ଯୋଶୀଙ୍କ ନିଲମ୍ବନ ଆଦେଶକୁ ହଟାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ ବର୍ଷ ପୂର୍ବେ ବିଜେପି ନେତା କପିଲ ମିଶ୍ରାଙ୍କ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ଭିଡିଓ ଭାଇରାଲ କରିବା ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଆଶୀଷ ।

ସୂଚନା ଅନୁଯାୟୀ, ଭାରତୀୟ ପୋଷ୍ଟ ଏବଂ ଟେଲିକମ୍ୟୁନିକେସନ୍ ଆକାଉଣ୍ଟସ୍‌ ବିଭାଗରେ କାର୍ଯ୍ୟରତ ୧୯୯୨ ମ୍ୟାଚ ଅଫିସର ଆଶୀଷ ଯୋଶୀ, ୨୦୧୯ ମସିହା ଫେବୃଆରୀ ମାସରେ ନିଲମ୍ବିତ ହୋଇଥି​‌ଲେ । ତାଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ଯେ, ସେ କୌଣସି ତଥ୍ୟ ପ୍ରମାଣ ନଥାଇ ବିଜେପି ନେତା କପିଲ ମିଶ୍ରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ଉତ୍ତରାଖଣ୍ଡରେ ଟେଲି କମ୍ୟୁନିକେସନ ବିଭାଗରେ କାର୍ଯ୍ୟରତ ଆଶୀଷ ଯୋଶୀଙ୍କୁ ଦାୟିତ୍ବରେ ଅବହେଳା ଏବଂ ମିଥ୍ୟା ତଥ୍ୟ ପ୍ରଘଟ କାରଣରୁ ନିଲମ୍ବନ କରାଯାଇଥିଲା ।

ଆଶୀଷ ଯୋଶୀ ଅଭିଯୋଗ କରିଥିଲେ ଯେ, ବିଜେପି ନେତା କପିଲ ମିଶ୍ରା ଉତ୍ତେଜନାପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଭିଡିଓ ମାଧ୍ୟମରେ କପିଲ ମିଶ୍ରା କହିଥିଲେ, ‘କେତେକ ଦେଶଦ୍ରୋହୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ, ସେମାନଙ୍କ ବିରୁଦ୍ଧରେ ଯୁଦ୍ଧଦେହି ଡାକରା ଦିଆଯାଇଛି’ । ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଆଶୀଷ ଏବଂ କପିଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସକୁ ଅପିଲ କରିଥିଲେ ।

ପରେ ସରକାରୀ କାର୍ଯ୍ୟରେ ଅବହେଳା ଏବଂ ସରକାରଙ୍କ ଲେଟର ପ୍ୟାଡ୍‌ରେ ଅଭିଯୋଗ ଲେଖି ଦିଲ୍ଲୀ ପୋଲିସ କମିସନରଙ୍କୁ ଅଭିଯୋଗ ପଠାଇଥିବାରୁ ତାଙ୍କୁ ୨ ବର୍ଷ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଗତ ଜୁଲାଇ ମାସରେ ତାଙ୍କ ନିଲମ୍ବନ ଆଦେଶ ଆହୁରି ୯୦ ଦିନ ପାଇଁ ବଢାଇଦିଆଯାଇଥିଲା । ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ବିଚାର କରି ଆଶୀଷ ଯୋଶୀଙ୍କ ନିଲମ୍ବନ ଆଦେଶକୁ ହଟାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.