କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ବ୍ୟକ୍ତ କଲେ ରାଷ୍ଟ୍ରପତି କୋବିନ୍ଦ, ଅଦମ୍ୟ ସାହାସକୁ କଲେ ପ୍ରଶଂସା
20/04/2020 at 6:59 PM

ନୂଆଦିଲ୍ଲୀ, ୨୦|୦୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିସାରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡି ନାହିଁ । ଏହି ଭାଇରସର ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଯାଦ୍ଧାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଶଂସା କରିଛନ୍ତି । ନିଜ ପରିବାର ଓ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବାରୁ ରାଷ୍ଟ୍ରପତି ସେମାନଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଅଦମ୍ୟ ସାହାସ ଦେଖାଇଛନ୍ତି । ଦେଶବାସୀଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି । ସେମାନେ ଯେଉଁ ସମର୍ପଣ ଓ ନିଷ୍ଠାଭାବରେ ସେବା ପ୍ରଦାନ କରୁଛନ୍ତି ତାହା ଇତିହାସରେ ବଳୀଦାନର ମହାଗାଥା ହୋଇ ଉଲ୍ଲେଖ ରହିବ । ଦେଶର ସମସ୍ତ ଟେଷ୍ଟିଂ ଲ୍ୟାବରେ କାର୍ଯ୍ୟରତ ବୈଜ୍ଞାନିକ ଓ ଟେକନିସିଆନଙ୍କ ପ୍ରତିବଦ୍ଧତା ଅଦ୍ୱିତୀୟ ଅଟେ । ସେମାନେ ପ୍ରତିକୂଳ ପରିସ୍ଥିତିରେ ପ୍ରାୟ ୪ ଲକ୍ଷ ନମୂନା ଏକାଠି କରିଛନ୍ତି । ସେମାନେ ଦେଶସେବାର ପ୍ରମାଣ ଦେଇଛନ୍ତି । ସେମାନଙ୍କ ନିସ୍ୱାର୍ଥପର କାର୍ଯ୍ୟନିଷ୍ଠା ପ୍ରଶଂସନୀୟ । ଏହାସହ ପରିବହନ ସେବାରେ ଜଡିତ ଚାଳକ, ଛୋଟ ବେପାରୀ ମଧ୍ୟ ଦେଶବାସୀଙ୍କ ଆବଶ୍ୟକତାକୁ ପୂରଣ କରୁଛନ୍ତି । ସେମାନଙ୍କୁ ଧନ୍ୟବାଦ । ଉତ୍ସାହର ସହ ସେମାନେ ସେବା ପ୍ରଦାନ କରୁଛନ୍ତି । ଏହାସହ ବାଧାବିଘ୍ନ ସତ୍ତ୍ୱେ ସଫେଇ କର୍ମଚାରୀମାନେ ପରିଶ୍ରମ କରୁଛନ୍ତି । ସେମାନେ ଆମମାନଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟନ୍ତି । ସମସ୍ତେ ପୋଲିସ, ସଶସ୍ତ୍ର ବଳ ଓ ସୁରକ୍ଷାକର୍ମୀଙ୍କ ପ୍ରତି ଆଭାର ବ୍ୟକ୍ତି କରିବା ଉଚିତ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଲକଡାଉନକୁ କଡାକଡି ପାଳନ କରିବା ପାଇଁ ପୋଲିସ ବାହିନୀ, ସୁରକ୍ଷା କର୍ମୀ ଦକ୍ଷତାର ପରିଚୟ ଦେଇଛନ୍ତି, ଏହାସହ ସୀମାରେ ଅର୍ଧସାମରିକ ବଳ ସୀମାରେ ଦେଶକୁ ଆତଙ୍କବାଦଙ୍କଠାରୁ ସୁରକ୍ଷା ଯୋଗାଉଛନ୍ତି ।ଏହାସହ ଦେଶବାସୀ, ବିଭିନ୍ନ ଏନଜିଓ,ସାମାଜିକ କର୍ମୀ, ଧାର୍ମିକ ସଙ୍ଗଠନଙ୍କୁ ମଧ୍ୟ ଧନ୍ୟବାଦ । ଏହାକୁ ଭିତ୍ତି କରି ଦେଶ କୋଭିଡ-୧୯ ଉପରେ ବିଜୟ ପ୍ରାପ୍ତ କରିବ ଓ ଏଥିପାଇଁ ସମସ୍ତଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି ।