ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଅଧିକ କଡ଼ା ସୁରକ୍ଷା, ଆଜି ଭାରତ ଆସୁଛି ଦ୍ବିତୀୟ VIP ବିମାନ

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦: ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ପାଇଁ ଆଜି ଭାରତ ଆସୁଛି ଦ୍ବିତୀୟ ବୋଇଙ୍ଗ ଏୟାରକ୍ରାଫ୍ଟ। ଆଜି ଆମେରିକା ଭାରତକୁ ଦ୍ବିତୀୟ ଭିଭିଆଇପି ବୋଇଙ୍ଗ ୭୭୭ ଏୟାରକ୍ରାଫ୍ଟ ହସ୍ତାନ୍ତର କରିବ । ବିମାନରେ ବହୁ ପ୍ରକାର ସୁବିଧା ରହିଛି। ଏହାର ବିଶେଷତ୍ବ ହେଉଛି କୌଣସି ମିଶାଇଲର ପ୍ରଭାବ ଏହା ଉପରେ ପଡ଼ି ନ ଥାଏ।

୨୦୧୮ରେ ଭାରତ ଏ ବିମାନ ପାଇଁ ବୋଇଙ୍ଗ କମ୍ପାନି ସହ ଡିଲ କରିଥିଲା। ବିମାନ କଷ୍ଟମାଇଜ କାମ ଆମେରିକାରେ କରାଯାଇଛି। ଏଥିରେ ସୁରକ୍ଷାକୁ  ଆବଶ୍ୟକତା ଅନୁସାରେ ପରିବର୍ତନ କରାଯାଇଛି। ଏହି ଏୟାର କ୍ରାଫ୍ଟ ୧୭ ଘଣ୍ଟା ପର୍ଯ୍ୟନ୍ତ କ୍ରମାଗତ ରିଫ୍ୟୁଏଲ ବିନା ଉଡିପାରିବ।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପାଇଁ ବିଶେଷ ଭାବେ ନିର୍ମିତ ପ୍ରଥମ ବି ୭୭୭ ବିମାନ ଅକ୍ଟୋବର ୧ରେ ଆମେରିକାରୁ ଭାରତ ଆସିଥିଲା। ବିମାନକୁ ଜୁଲାଇରେ ବିମାନ ନିର୍ମାତା କମ୍ପାନି ବୋଇଙ୍ଗ ଦ୍ବାରା ଏୟାର ଇଣ୍ଡିଆକୁ ହସ୍ତାନ୍ତର କରିବାର ଥିଲା ମାତ୍ର ଭାରତ ପହଞ୍ଚିବାରେ ଏଥିରେ ଦୁଇ ଥର ବିଳମ୍ବ ହୋଇଛି।

ଏହି ମୋଡିଫାଏଡ ବିମାନରେ ହିନ୍ଦୀରେ ଭାରତ ଓ ଇଂରାଜିରେ ଇଣ୍ଡିଆ ଲେଖା ଯାଇଛି। ଅଶୋକଚକ୍ର ସହ ବିମାନରେ ତ୍ରିରଙ୍ଗା ଚିତ୍ର ରହିଛି। ବିମାନ ଭିତରେ ତମାମ ସୁବିଧା ଯେମିତି  ମିଟିଂ କକ୍ଷ, କନଫରେନ୍ସ କ୍ୟାବିନ, ପ୍ରେସ ବ୍ରିଫିଙ୍ଗ ରୁମ, ସୁରକ୍ଷିତ ଭିଡିଓ ଟେଲିଫୋନ ଓ ସାଉଣ୍ଡ ପ୍ରୁଫ ସୁବିଧା ସହ ଫାଇଭ ଷ୍ଟାର ସୁବିଧା ରହିଛି। ବିମାନର ବେଗ ୯୦୦ କିଲୋମିଟର ପ୍ରତିଘଣ୍ଟା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.