ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାରରେ ପହଞ୍ଚିବାକୁ ହୋଇଛି ବ୍ଳୁପ୍ରିଣ୍ଟ ପ୍ରସ୍ତୁତ : ମୋଦି ସରକାରର ଗତ ୫ ବର୍ଷର ସକସେସ୍ ଷ୍ଟୋରିକୁ ଦୋହରାଇଛନ୍ତି ମହାମହିମ ରାଷ୍ଟ୍ରପତି
20/06/2019 at 5:47 PM

ନୂଆଦିଲ୍ଲୀ ୨୦/୬: ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାରକୁ ବଢ଼ିବ। ୨୦୨୪ ସୁଦ୍ଧା ଭାରତର ଅର୍ଥନୀତି ୫ ଲକ୍ଷ କୋଟିରେ ପହଞ୍ଚିବ। ଏମିତି କିଛି ବଡ଼ ଆଶା ରଖିଛନ୍ତି ମୋଦି ସରକାର ଯାହାର ଝଲକ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ପାର୍ଲାମେଣ୍ଟର ଉଭୟ ଗୃହକୁ ସମ୍ବୋଧନ କରିଛି ରାଷ୍ଟ୍ରପତି ମୋଦି ସରକାରଙ୍କ ନିୟୁ ଇଣ୍ଡିଆର ଭିଜନ ଡକୁମେଣ୍ଟ ଉପସ୍ଥାପନ କରିଛନ୍ତି । କିଭଳି ୫ ବର୍ଷ ଭିତରେ ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାରରେ ପହଁଚିବ ତାପାଇଁ ହୋଇଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ । ସେଥିରେ ମହିଳା ସଶକ୍ତିକରଣ ଠାରୁ ଭିତ୍ତିଭୂମି ଉପରେ ଫୋକସ ଦେଇଛନ୍ତି ରାଷ୍ଟ୍ରପତି । ଉଜ୍ଜ୍ବଳା ଯୋଜନା, ଜନଧନ ଯୋଜନା, ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ପିଏମ-କିଶାନ ପର୍ଯ୍ୟନ୍ତ ମୋଦି ସରକାରର ଗତ ୫ ବର୍ଷର ସକସେସ୍ ଷ୍ଟୋରିକୁ ଦୋହରାଇଛନ୍ତି ମହାମହିମ ରାଷ୍ଟ୍ରପତି । ମୋଦି ସରକାରର ସ୍ଲୋଗାନ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସକୁ ଦୋହରାଇ ରାଷ୍ଟ୍ରପତି ଏକଥା ବି କହିଛନ୍ତି ନୂଆ ଭାରତ ଗଢିବା ଦିଗରେ ନୂଆ ସରକାର ପ୍ରତିବଦ୍ଧ । ଯେଉଁଥିରେ ଜାତୀୟ ସୁରକ୍ଷା, ଅନୁପ୍ରବେଶ ଭଳି ଗମ୍ଭୀର ସମସ୍ୟାକୁ ସମାଧାନ କରିବା ସହ ଏକ ଆଧୁନିକ ଭାରତ ପାଇଁ ଯେଉଁସବୁ ଜନହିତକର ଯୋଜନା ଦରକାର ତାହା କରିବାକୁ ସରକାର କିଭଳି ଉଦ୍ୟମରତ ତାର ଗୋଲାପୀ ଚିତ୍ର ରଖିଛନ୍ତି ରାଷ୍ଟ୍ରପତି ।

ବର୍ତ୍ତମାନ ଭାରତର ଅର୍ଥନୀତି ୨.୮ ଟ୍ରିଲିୟନ ଡଲାରରେ ରହିଛି। ୨୦୨୪ ବା ୫ ବର୍ଷରେ ୫ ଟ୍ରିଲିୟନ ଡଲାରରେ ପହଞ୍ଚିବାକୁ ହେଲେ ବର୍ଷକୁ ୧୨ ପ୍ରତିଶତ ଅଭିବୃଦ୍ଧି ଦରକାର। କଣ ଏହା ସମ୍ଭବ କି। ମୋଦି ୨ୟ ଥର ବିପୁଳ ବିଜୟ ସହ କ୍ଷମତାକୁ ଫେରିବାପରେ ଆଜି ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେଣୁ ଜୋସ୍ ବି ଦେଖିବାକୁ ମିଳିଛି ସରକାରରେ । ତେଣୁ ବିଗ୍ ଟିକେଟ ରିଫର୍ମ ସହ ଦେଶର ଅର୍ଥନୀତିକୁ ଶିଖରରେ ପହଁଚାଇଭାକୁ ମୋଦି ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ସେଥିରେ ଏକ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ବି ରହିଛି । ଶୁଣନ୍ତୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଣ କହୁଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା ।

ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ମହାନଦୀ କଥା ବି ଉଠିଛି । ନମାମି ଗଙ୍ଗା ଯୋଜନାରେ ଦେଶର କିଛି ବଡନଦୀ ସମେତ ମହାନଦୀକୁ ଯୋଡିବାକୁ ପ୍ରସ୍ତାବ ରହିଛି । ଏହାହେଲେ ମହାନଦୀର ଜଳକୁ ସ୍ବଛ କରିବା ସହ ନଦୀ ସଂଯୋଗୀକରଣକୁ ତ୍ବରାନ୍ବିତ କରିବା ଦିଗରେ ଆର୍ଥିକ ସହଯୋଗ ମିଳିବ ।

ମୋଦି ସରକାର ଏବେ ଦେଶର ଜନତାଙ୍କ ମୁଡ୍ ପରଖିସାରିଛନ୍ତି । ଯେଉଁ ପ୍ରତିଶୃତି ଦେଇ ସେ ସରକାରକୁ ଆସିଛନ୍ତି ତାହା ପୂରଣ ନହେଲେ କ୍ଷମତାକୁ ଫେରିବା କେତେ କଷ୍ଟ ତାହା ମୋଦି ଜାଣାଇଛନ୍ତି । ତେଣୁ ଲୋକଙ୍କ ସୁବିଧା ସୁଯୋଗକୁ ପ୍ରାଥମିକତା ଦେଇ ଆଗକୁ ବଜେଟ ଅଟକଳ ହେବ ବୋଲି ସ୍ପଷ୍ଟ ସଂକେତ ମିଳିଛି ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ।….
