ସୋସିଆଲ ମିଡ଼ିଆରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନର ଗୁଜବ : ଭେଣ୍ଟିଲେଟରରେ ଥିବା ସ୍ପଷ୍ଟ କଲେ ପରିବାର ଓ ହସ୍ପିଟାଲ

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩/୦୮ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି | ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି | ଇତି ମଧ୍ୟରେ ସୋସିଆଲ ମିଡ଼ିଆରେ ତାଙ୍କ ନିଧନର ଗୁଜବ ହୋଇଛି | ଟ୍ୱିଟରରେ ପ୍ରଣବ ମୁଖାର୍ଜୀଙ୍କ ନିଧନ ହୋଇଥିବା ଗୁଜବ ହୋଇଛି | କିନ୍ତୁ ପରିବାର ଓ ହସ୍ପିଟାଲ ତରଫରୁ ସ୍ପଷ୍ଟ ହୋଇଛି ଯେ ସେ ଜୀବନ୍ତ ଅଛନ୍ତି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି |

ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସ ନେତା ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ କରି କହିଛନ୍ତି ଯେ ତାଙ୍କ ପିତାଙ୍କ ବିଷୟରେ ଯାହା ସବୁ ଗୁଜବ ସୃଷ୍ଟି ହୋଇଛି ତାହା ମିଛ | ସେ ମିଡ଼ିଆକୁ ଅନୁରୋଧ କରିଛନ୍ତି ଯେ ତାଙ୍କୁ କେହି ଫୋନ ନ କରନ୍ତୁ | ସେ ନିଜ ମୋବାଇଲ ଫ୍ରି ରଖିବାକୁ ଚାହୁଁଛନ୍ତି ଯେପରିକି ତାଙ୍କୁ ହସ୍ପିଟାଲରୀ ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି |

ଆର୍ମି ହସ୍ପିଟାଲ ତରଫରୁ ଗୁରୁବାର ଦିନ ତାଜା ମେଡିକାଲ ବୁଲେଟିନ ଅନୁସାରେ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଏବେ ମଧ୍ୟ ଗୁରୁତର ରହିଛି | ସେନାର ରିସର୍ଚ୍ଚ ଓ ଆଣ୍ଡ ରେଫରଲ ହସ୍ପିଟାଲ ନିଜ ବୁଲେଟିନରେ କହିଛି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସକାଳୁ କୌଣସି ପରିବର୍ତ୍ତନ ହୋଇନାହିଁ | ସେ କୋମା ଭଳି ସ୍ଥିତିରେ ଅଛନ୍ତି | ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି | 

ଏହା ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ କରି ସୂଚନା ଦେଇଥିଲେ ଯେ ତାଙ୍କ ପିତାଙ୍କ ଅବସ୍ଥା ହେମୋଡାଇନେମିକଲି ସ୍ଥିର ରହିଛି | ଅର୍ଥାତ ତାଙ୍କ ରକ୍ତଚାପ ସ୍ଥିର ରହିଛି |

ପ୍ରଣବ ମୁଖାର୍ଜୀ ସୋମବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଏହାପରେ ତାଙ୍କୁ ସେନାର ଆର ଆଣ୍ଡ ଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କର ମସ୍ତିସ୍କ ସର୍ଜରୀ ମଧ୍ୟ କରାଯାଇଛି | ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ମସ୍ତିସ୍କ ସର୍ଜରୀ କରାଯାଇଥିଲା ଯାହା ସଫଳ ହୋଇଥିବା ଡାକ୍ତର କହିଛନ୍ତି | ସର୍ଜରୀ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.