Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେନିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ୧୦୦ ମିଲିୟନ ଆମେରିକୀୟ ଡଲାର ଋଣ ପ୍ରସ୍ତାବ ଦେଲା ଭାରତ

30/07/2019 at 3:00 PM

ନୂଆଦିଲ୍ଲୀ ୩୦|୭: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର- ବେନିନ, ଗାମ୍ବିୟା ଓ ଗୁଏନା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଯାଇଛନ୍ତି । ପ୍ରତାପ ଷଡଙ୍ଗୀଙ୍କ ଏହା ଦ୍ବିତୀୟ ବିଦେଶ ଗ୍ରସ୍ତ । ପ୍ରଥମେ ସେ ନେପାଳର ଏକ ଦର୍ଶନୀୟ ସ୍ଥାନ ବୁଲିଯାଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରତାପ ବେନିନର ବୈଦେଶିକ ମନ୍ତ୍ରାଳୟର ଅଧିକାରୀଙ୍କ ସହ ଆମଦାନୀ, ରପ୍ତାନି ଓ ଅର୍ଥ କାରବାର ନେଇ ଏମଓୟୁ ଚୁକ୍ତି ସ୍ବାକ୍ଷର କଲେ।

ଗତ ୨୮ ଜୁଲାଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବେନିନର କୁଟୋନୁରେ ପହଁଚିଥିଲେ । ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ସେ ଏହି ତିନୋଟି ରାଷ୍ଟ୍ରକୁ ଗସ୍ତ କରିଛନ୍ତି । ଆଜି ଅର୍ଥାତ୍ ଜୁଲାଇ ୨୯ ତାରିଖରେ ରାଷ୍ଟ୍ରପତି କୁଟୋନୁର  ମାରିନାରେ ଥିବା  ରାଷ୍ଟ୍ରପତି  ଭବନରେ ପ୍ରତିପକ୍ଷ ପାଟ୍ରିକ ଟାଲୋନଙ୍କୁ ଭେଟିଥିଲେ । ରାଷ୍ଟ୍ରପତିଙ୍କୁ ସେଠାରେ ରାଜକୀୟ ସ୍ବାଗତ କରାଯାଇଥିଲା।

ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଭାରତ ଏବଂ ବେନିନ ମଧ୍ୟରେ ଉଦାର ଓ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି । ଭାରତ ବେନିନ ସହିତ ଆର୍ଥିକ ଭାଗୀଦାରୀ ପାଇଁ ଆଗ୍ରହୀ । ଦ୍ବିପାକ୍ଷିକ ବାଣିଜ୍ୟରେ ଭାରତ ବେନିନର ସର୍ବବୃହତ ଭାଗୀଦାର  ବୋଲି ସେ  ଖୁସିର  ସହ  କହିଥିଲେ ।  ଏହି  ବାଣିଜ୍ୟ  କାରବାର  ଏବେ  ୮୦୦  ମିଲିୟନ ଆମେରିକୀୟ  ଡଲାର  ଟପିଯାଇଛି ।  ବେନିନରେ  ପାଖାପାଖି  ୧୦୦ଟି  ଭାରତୀୟ  କିମ୍ବା  ଭାରତୀୟ ମାଲିକାନାରେ ଥିବା କମ୍ପାନୀ କାରବାର କରୁଛନ୍ତି । ବେନିନର ବଜାରରେ ବିଶେଷ କରି ଖଣି କ୍ଷେତ୍ରରେ ଅଧିକ  ସଂଖ୍ୟକ  ଭାରତୀୟ  କମ୍ପାନୀ  ପ୍ରବେଶ  କରିବା  ଲାଗି  ଆଗ୍ରହୀ  ଅଛନ୍ତି ।  ସେମାନଙ୍କ  ବ୍ୟବସାୟର ଅଭିବୃଦ୍ଧି ଲାଗି ଭାରତ ବେନିନର ସହାୟତା ଚାହୁଁଛି ।

ରାଷ୍ଟ୍ରପତି  କହିଥିଲେ  ଯେ,  ବେନିନର  ଅଭିବୃଦ୍ଧି  ଏବଂ  ବିକାଶ  ଲାଗି  ସହାୟତା  କରିବା  ନିମନ୍ତେ  ଭାରତ ସଂକଳ୍ପବଦ୍ଧ ।  ବେନିନର  ୧୦୩ଟି  ଗ୍ରାମରେ  ଜଳଯୋଗାଣ  ଯୋଜନାର  ଉନ୍ନତିକରଣ  ଲାଗି  ୪୨.୬ ମିଲିୟନ ଆମେରିକୀୟ ଡଲାରର ଋଣ ସହାୟତା କାର୍ଯ୍ୟକାରୀ ହେବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ଏହା ଭଲ ଭାବେ ଅଗ୍ରଗତି କରୁଛି । ବେନିନରେ ବିକାଶମୂଳକ ପ୍ରକଳ୍ପ ଲାଗି ଅତିରିକ୍ତ ୧୦୦ ମିଲିୟନ ଆମେରିକୀୟ  ଡଲାରର  ଋଣ  ସହାୟତା  ସମ୍ପର୍କରେ  ସେ  ଘୋଷଣା  କରିଥିଲେ ।  ବେନିନକୁ  ଇ-ଭିସା ସୁବିଧାର ସମ୍ପ୍ରସାରଣ ସମ୍ପର୍କରେ ସେ ଘୋଷଣା କରିଥିଲେ । ଭାରତ-ବେନିନ ବ୍ୟବସାୟିକ ସମ୍ପର୍କକୁ ଏହା ବୃହତ ପ୍ରୋତ୍ସାହନ ଯୋଗାଇବ ବୋଲି ସେ କହିଥିଲେ । ୧୫ହଜାର ବେନିନ ଛାତ୍ରଛାତ୍ରୀଙ୍କୁ ମାଗଣା ଟେଲି ଶିକ୍ଷା ପାଠ୍ୟକ୍ରମ ଏବଂ ଆଫ୍ରିକାର ୧ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଗଣା ଟେଲି ମେଡିସିନ ପାଠ୍ୟକ୍ରମ ଶିକ୍ଷା ଦେବା ଲାଗି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିସହିତ ଉଭୟ ପକ୍ଷ ପ୍ରତିରକ୍ଷା ଏବଂ ନିରାପତା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଜଳଦସ୍ୟୁ ନିରୋଧୀ କ୍ଷମତା ବୃଦ୍ଧି କରିବା ଲାଗି ବେନିନକୁ ତାଲିମ ଦେବା ନିମନ୍ତେ ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ବେନିନର ସମର୍ଥନ ଲାଗି ଭାରତ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।  ଆତଙ୍କବାଦ  ଓ  ଜଳଦସ୍ୟୁ  ସମସ୍ୟା  ବିରୋଧରେ  ବିଶ୍ବର ଲଢ଼େଇରେ ମିଳିତ ଭାବେ ଛିଡ଼ା ହେବା ଲାଗି ଉଭୟ ରାଷ୍ଟ୍ରର ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଅନ୍ତର୍ଜାତୀୟ ସୌର ମେଣ୍ଟ ଜରିଆରେ ଜଳବାୟୁ ପରିବର୍ତନ ବିରୋଧରେ ଲଢ଼ିବା ଲାଗି ସେମାନେ ମଧ୍ୟ ରାଜି ହୋଇଥିଲେ ।

ଦୁଇ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଉଭୟ ରାଷ୍ଟ୍ର ମଧ୍ୟରେ ବୁଝାମଣାପତ୍ର ଓ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧. ୨୦୧୯-୨୦୨୩ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

୨. ରପ୍ତାନୀ ଋଣ ଏବଂ ନିବେଶୀ ବୀମା କ୍ଷେତ୍ରରେ ସହଯୋଗ ଲଗ୍ଧାଗି ବୁଝାମଣାପତ୍ର

୩. ଭାରତ  ସରକାରଙ୍କ  ବୈଦେଶିକ  ବ୍ୟାପାର  ମନ୍ତ୍ରଣାଳୟ  ଅଧୀନ  ଇ-ଭିବିଏବି  ନେଟୱାର୍କ  ପ୍ରକଳ୍ପ (ପ୍ୟାନ  ଆଫ୍ରିକା  ଇ-ନେଟୱାର୍କ  ପ୍ରକଳ୍ପ  (ପିଏଇଏନପି)-ପର୍ଯ୍ୟାୟ-୧ର  ପ୍ରଯୁକ୍ତି  ଉନ୍ନୟନ)ରେ ଅଂଶଗ୍ରହଣ ଲାଗି ବେନିନ ଓ ଟେଲିକମ୍ୟୁନିକେସନ୍ସ କନସଲଟାଂଟ ଇଣ୍ଡିଆ ଲିଃ (ଟିସିଆଇଏଲ) ମଧ୍ୟରେ ବୁଝାମଣାପତ୍ର

୪. କୂଟନୈତିକ, ସରକାରୀ/ସେବା ପାସପୋର୍ଟଧାରୀଙ୍କ  ପାଇଁ  ଭିସା  ଆବଶ୍ୟକତାର  ଆପୋସ  ଛାଡ଼ ନିମନ୍ତେ ରାଜିନାମା ଉଭୟ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।

ଏହାପରେ ପୋର୍ଟୋ ନୋଭୋଠାରେ ଥିବା ବେନିନର ଜାତୀୟ ସଂସଦରେ ରାଷ୍ଟ୍ରପତିଙ୍କର ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେ  ମଧ୍ୟ  ବେନିନ  ରାଷ୍ଟ୍ରପତିଙ୍କ  ଦ୍ବାରା  ଆୟୋଜିତ ପ୍ରୀତିଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

   Related Posts