ତିନି ସ୍ଵାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପୁରସ୍କାର

Published By : Prameya-News7 Bureau | August 09, 2020 IST

ଭଦ୍ରକ ୦୯।୦୮: ଆଜି ଅଗଷ୍ଟ ୯, କ୍ରାନ୍ତି ଦିବସ । ଆଜିର ଦିନରେ ଆରମ୍ଭ ହୋଇଥିଲା ଭରତ ଛାଡ ଆନ୍ଦୋଳନ । ମହାତ୍ମା ଗାନ୍ଧୀଙ୍କ ନୀତି ଆଉ ଆଦର୍ଶରେ ପ୍ରେରିତ ହୋଇ ବହୁ ସ୍ଵାଧୀନତା ସଂଗ୍ରାମୀ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ । ଆଉ ସ୍ଵାଧୀନ ଭାରତ ଗଠନ କରିବା ସହ ଇଂରେଜ ମାନଙ୍କୁ ତଡିବା ପାଇଁ ଆରମ୍ଭ ହୋଇଥିଲା ଆନ୍ଦୋଳନ । ଏହି ଲଢେଇରେ କେତେଜଣ ନିଜ ବଳିଦାନ ଦେଇଥିବା ବେଳେ କେତେ ଜଣ ସଂଗ୍ରାମୀ ନିଜ ଲୁହ ଆଉ ଲହୁ ଦେଇ ସ୍ଵାଧୀନତା ଆଣିଛନ୍ତି । ଭଦ୍ରକ ଜିଲ୍ଲାରେ ବହୁ ସଂଗ୍ରାମର ଗାଥା ରହିଛି । ଜିଲ୍ଲାରେ ଏଥର ୩ ଜଣ ସ୍ଵାଧୀନତା ସଂଗ୍ରାମୀ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ତିନି ସ୍ଵାଧୀନତା ସଂଗ୍ରାମୀ ହେଉଛନ୍ତି ଧାମନଗର ବ୍ଲକର ।

{"id":312007,"sizeSlug":"large"}

ତିନି ସ୍ଵାଧୀନତା ସଂଗ୍ରାମୀ ଏଥର ପାଇଛନ୍ତି ରାଷ୍ଟ୍ରପତି ପୁରସ୍କାର  । ଧାମନଗର ବ୍ଲକ ସୁର୍ଜ୍ୟପୁରର ରାମହରି ଗୋସ୍ଵାମୀ , ରାଧାଶ୍ୟାମ ଗୋସ୍ଵାମୀ ଓ କମାରବନ୍ଧ ଗାଁର ବ୍ରଜକିଶୋର ରାଉତ । ଏହି ତିନି ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ନୀତି ରେ ପ୍ରେରଣା ପାଇଥିଲେ । ଆଉ ଗ୍ରାମାଞ୍ଚଳରୁ ଆରମ୍ଭ କରିଥିଲେ ସଂଗଠନ । ଗାଁ ଗାଁ ବୁଲି ଲୋକଙ୍କୁ ନିଜ ଆନ୍ଦୋଳନରେ ସାମିଲ କରୁଥିଲେ , ଏବଂ ବହୁବାର ଜେଲ ମଧ୍ୟ ଯାଇଛନ୍ତି । ବହୁ ଅକଥନୀୟ ଯନ୍ତ୍ରଣା ମଧ୍ୟ ପାଇଛନ୍ତି । କିନ୍ତୁ ସେହି ଲୁହ ଆଉ ଲହୁ ପାଇଁ ଆଜି ପାଇଛନ୍ତି ରାଷ୍ଟ୍ରପତି ପୁରସ୍କାର । ସ୍ଵାଧୀନ ଧୂସୁରି ପାଇଁ ଲଢେଇ ହେଉକି ଭଣ୍ଡାରୀପୋଖରୀ ଥାନା ପୋଡି ସବୁଠି ଏମାନଙ୍କ ଉପସ୍ଥିତି ଲଢେଇକୁ ମଜଭୁତ କରିଥିଲା । ଏବେ ସିନା ସେ ଦିନ ନାହିଁ କିନ୍ତୁ  ସେତେବେଳର ସ୍ମୃତି ଆଜି ମଧ୍ୟ ଆନ୍ଦୋଳିତ କରୁଛି । କରୋନା କଟକଣା ପାଇଁ ନିଜ ଘରେ ସମ୍ବର୍ଦ୍ଧିତ ହୋଇଛନ୍ତି ଏହି ସ୍ଵାଧୀନତା ସଂଗ୍ରାମୀ ।

{"id":312008,"sizeSlug":"large"}

କାରୋନା କଟକଣା ପାଇଁ ଏଥର ରାଷ୍ଟ୍ରପତି ଭବନ ରେ ଆୟୋଜିତ ହୋଇନାହିଁ ପୁରସ୍କାର ବିତରଣ ଉତ୍ସବ । ନିରାଡମ୍ବର ଭାବେ ପାଳିତ ହୋଇଛି ଦିବସ । ଏଥର ଭଦ୍ରକ ଜିଲ୍ଲାପାଳ  ନିଜେ ସ୍ଵାଧୀନତା ସଂଗ୍ରାମୀଙ୍କ ଘରକୁ ଯାଇ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ମାନପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ସାଂସଦ ମଧ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥର ସ୍ଥାନୀୟ ବାସିନ୍ଦା ମଧ୍ୟ ଗର୍ବିତ । ତେବେ ଏବେ ଏହି ସଂଗ୍ରାମୀଙ୍କ ପ୍ରଚେଷ୍ଟା ପାଇଁ ଯେଉଁଭଳି  ସ୍ଵାଧୀନତା ମିଳିଛି ତାହାକୁ ନିଶ୍ଚିତ ଭାବେ ସମସ୍ତେ ଉପଭୋଗ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.